ପିସିସି ସଭାପତି ଭକ୍ତଚରଣ ଦାସ ଗତକାଲି ନିଜର ଏକ ଟିମ୍ ଘୋଷଣା କରିଛନ୍ତି। ଓଡ଼ିଶା କଂଗ୍ରେସ ଇତିହାସରେ ପିସିସିର ପୂର୍ବରୁ ଏତେବଡ଼ ଟିମ୍ କେବେ ଗଠନ ହୋଇନାହିଁ।
ଭୁବନେଶ୍ବର: ପିସିସି ସଭାପତି ଭକ୍ତଚରଣ ଦାସ ଗତକାଲି ନିଜର ଏକ ଜୁମ୍ବୋ ଟିମ୍ ଘୋଷଣା କରିଛନ୍ତି। ଓଡ଼ିଶା କଂଗ୍ରେସ ଇତିହାସରେ ପିସିସିର ପୂର୍ବରୁ ଏତେବଡ଼ ଟିମ୍ କେବେ ଗଠନ ହୋଇନାହିଁ। ୨୫୬ଜଣଙ୍କୁ ନେଇ ଗଠିତ ଏହି ଟିମ୍ ଏତେ ବଡ଼ ଯେ ଖୋଦ୍ ଦଳୀୟ ନେତାମାନେ ଏହା ପଛର ଉଦ୍ଦେଶ୍ୟକୁ ବୁଝିପାରୁନାହାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଟିମ୍ରେ ଏଭଳି କିଛି ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି ସେମାନେ ରାଜନୀତିରେ ସକ୍ରିୟ ନାହାନ୍ତି। କୌଣସି କାର୍ଯ୍ୟକ୍ରମ ପାଇଁ ମଧ୍ୟ କଂଗ୍ରେସ ଭବନକୁ ଆସିପାରୁନାହାନ୍ତି। ସେମାନଙ୍କୁ କମିଟିରେ ସ୍ଥାନ ଦେଇ ଭକ୍ତ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହାକୁ ନେଇ ଦଳୀୟ ନେତାମାନେ ପ୍ରଶ୍ନ ଉଠାଇଛନ୍ତି।
ପିସିସିର ନୂଆ ଟିମ୍ କଂଗ୍ରେସ ସଂଗଠନକୁ ନେଇ କିଭଳି ସଞ୍ଜୀବନୀ ଦେବ ତାହାକୁ ନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଛି। ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଉପଦେଷ୍ଟା କମିଟି ଘୋଷଣା ହୋଇଛି। ଏଥିରେ ୪୦ଜଣ ସଦସ୍ୟ ରହିଛନ୍ତି। ଜାତୀୟ କଂଗ୍ରେସ ସମ୍ବିଧାନରେ ଏଭଳି କୌଣସି ଏକ କମିଟି ଗଠନକୁ ନେଇ କିଛି ସ୍ପଷ୍ଟତା ନାହିଁ, ତଥାପି ଭକ୍ତ ଏଭଳି ଏକ ଟିମ୍ ଗଠନ କରିଛନ୍ତି। ଏହାସହ ଉପସଭାପତି, ସାଧାରଣ ସଂପାଦକ ଓ ସଂପାଦକ ବଦଳରେ ଉପଦେଷ୍ଟା କମିଟିରେ ସ୍ଥାନ ପାଇଥିବାରୁ କିଛି ସଦସ୍ୟଙ୍କ ମନ ଊଣା ହୋଇଛି। କେବଳ ନାମକୁ ମାତ୍ର ଏହି କମିଟିରେ ରହିବାକୁ ନେଇ ସେମାନେ ଅସନ୍ତୋଷ ଝାଡ଼ିଛନ୍ତି। ସେହିପରି କାର୍ଯ୍ୟକାରୀ କମିଟିରେ ୭୧ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ଏହି କମିଟି ୩୦ଜଣ ସଦସ୍ୟଙ୍କୁ ନେଇ ସୀମିତ ରହୁଥିଲା। ଯଦିଓ ବିଶାଳ କମିଟି ଗଠନ କରି ଭକ୍ତ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲୁଥିବାର ବାର୍ତ୍ତା ଦେଇଛନ୍ତି, ବାସ୍ତବରେ ଉପକୂଳ ଓଡ଼ିଶାରେ ତାଙ୍କର ଗ୍ରହଣୀୟତାକୁ ନେଇ ଏବେ ବି ପ୍ରଶ୍ନବାଚୀ ରହିଛି।
ଜୁମ୍ବୋ ଟିମ୍କୁ ବୁଝିପାରୁନାହାନ୍ତି ଦଳୀୟ ନେତା
ପ୍ରତିକ୍ରିୟା ନ ରଖି ଦଳ ପାଇଁ କାମ କର: ଭକ୍ତ
ଅପରପକ୍ଷରେ ନବଗଠିତ କମିଟିକୁ ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ଦାସ। ସେ କହିଛନ୍ତି ଯେ କଂଗ୍ରେସର କୌଣସି କମିଟିରେ ସ୍ଥାନ ପାଇବା ବଡ଼ କଥା। ପଦବିକୁ ନେଇ ପ୍ରତିକ୍ରିୟା ପ୍ରକାଶ ନ କରି କଂଗ୍ରେସ ଦଳ ପାଇଁ କାମ କରନ୍ତୁ। କଂଗ୍ରେସ କିଭଳି ଆଗକୁ ବଢ଼ିବ ସେଥିପାଇଁ ଉଦ୍ୟମ କରନ୍ତୁ। ଦଳ ଭିତରେ କୌଣସି ବାଦବିବାଦ ନ ରଖି ସମସ୍ତେ ମିଳିତଭାବେ କାମ କରନ୍ତୁ। ଆଗାମୀ ଦିନରେ କଂଗ୍ରେସ ଯେପରି ଓଡ଼ିଶାରେ ଲୋକପ୍ରିୟ ହେବା ସହ କ୍ଷମତାକୁ ଫେରିପାରିବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆଗେଇ ଆସନ୍ତୁ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏଆଇସିସି ପ୍ରଭାରୀ ଦାୟିତ୍ବ ନେବା ସମୟରେ ପିସିସି କମିଟି ଗଠନ ନେଇ ମତ ଦେବାକୁ କହିଥିଲେ।
ଚର୍ଚ୍ଚା tv












