By- SUBHASMITA DT-29-2026
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟଜୁଡ଼ା ବିଜୁଳି-ଘଡ଼ଘଡ଼ି ସହ ବର୍ଷା, କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର, ମାର୍ଚ୍ଚ ୨୯:
ପଶ୍ଚିମା ଝଡ଼ ପ୍ରଭାବରେ ଓଡିଶାର ପାଣିପାଗ ହଠାତ୍ ବଦଳିଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ବର୍ଷା ଜାରି ରହିଛି। ପବନର ବେଗ ବୃଦ୍ଧି ପାଇଁ ପରିସ୍ଥିତି କେତେକ ସ୍ଥାନରେ ଅଧିକ ତୀବ୍ର ହୋଇଯାଇଛି।
ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ୫୦ରୁ ୬୦ କିମି ବେଗରେ ପବନ ବହିଥିବା ସହ କୁଆପଥର ବର୍ଷା ମଧ୍ୟ ହୋଇଛି। ଏହାର ପ୍ରଭାବରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ସହ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ଝଡ଼ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏଥିସହ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିପାରେ। ଏହାର ପରିଣାମରେ ରାଜ୍ୟରେ ତାତି ବୃଦ୍ଧିର ସମ୍ଭାବନା କମିଛି ଓ ଲୋକମାନେ ଗରମରୁ ରାହାତ ଅନୁଭବ କରୁଛନ୍ତି।
ତେବେ ୩ ଦିନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ପାଣିପାଗ କେନ୍ଦ୍ର ସଚେତନ କରିଛି।
ଚର୍ଚ୍ଚା News












