ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା। ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଶେଷରେ ଏଜେନ୍ସୀ ସମ୍ମୁଖରେ ତାତିଛନ୍ତି ଶତାଧିକ ଉପଭୋକ୍ତା। ହାତରେ ପାଉଁରୁଟି ଧରି ଏବଂ ତୀବ୍ର ଖରାକୁ ଖାତିର ନକରି ଗ୍ୟାସ ଯୋଗାଣ ଦାବିରେ ଧାରଣାରେ ବସିଛନ୍ତି ମହିଳା ଓ ପୁରୁଷ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ସାନଘାଟିସ୍ଥିତ ମା ଚାମୁଣ୍ଡା ଭାରତ ଗ୍ୟାସ ଏଜେନ୍ସୀ ସମ୍ମୁଖରେ।
ଗ୍ୟାସ ବୁକିଂକୁ ବିତି ଯାଇଛି ପ୍ରାୟ ତିନି ମାସ। ହେଲେ ଉପଭୋକ୍ତାଙ୍କ ଘରେ ପହଞ୍ଚିନି ଗୋଟିଏ ବି ସିଲିଣ୍ଡର। ଏହାକୁ ନେଇ ପୁରୁଷୋତ୍ତମପୁର ବ୍ଲକ ଅରଖପୁର ପଞ୍ଚାୟତର ପାଟଣାପଲ୍ଲୀ ଓ ବାବରାପଲ୍ଲୀ ଗ୍ରାମର ଶତାଧିକ ଗ୍ରାହକ ଏଜେନ୍ସୀ ସମ୍ମୁଖରେ ଧାରଣା ଦେଇଛନ୍ତି। ଉପଭୋକ୍ତାଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଏଜେନ୍ସୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ଫଳରେ ରନ୍ଧନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସହ ଦୈନନ୍ଦିନ ଜୀବନ ଅସୁବିଧାରେ ପଡ଼ିଛି।
ପୂର୍ବରୁ ଏହି ଅଞ୍ଚଳର ଗ୍ରାହକମାନେ ଶିକୁଳା ସ୍ଥିତ ଏକ ଗ୍ୟାସ ଏଜେନ୍ସୀରୁ ସେବା ପାଉଥିଲେ। ମାତ୍ର ସେହି ଏଜେନ୍ସୀ ବନ୍ଦ ହୋଇଯିବା ପରେ ଉପଭୋକ୍ତାଙ୍କୁ ଖଲ୍ଲିକୋଟର ସାନଘାଟି ସ୍ଥିତ ମା ଚାମୁଣ୍ଡା ଭାରତ ଗ୍ୟାସ ଏଜେନ୍ସୀ ସହ ଯୋଡ଼ାଯାଇଥିଲା। କିନ୍ତୁ ସେବା ସ୍ଥାନାନ୍ତର ହେବା ପରଠାରୁ ଗ୍ୟାସ ଯୋଗାଣରେ ଅନିୟମିତତା ଦେଖାଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାହକ। ତିନି ମାସ ଧରି ଗ୍ୟାସ ନମିଳିବାରୁ ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି ।
ଡହ ଡହ ଖରା ମଧ୍ୟରେ ପାଉଁରୁଟି ଖାଇ ଧାରଣାରେ ବସିଥିବା ଉପଭୋକ୍ତାମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ସେମାନଙ୍କ ଗ୍ୟାସ ଖାତା ପୋଲସରା ଅଞ୍ଚଳକୁ ସ୍ଥାନାନ୍ତର କରାଯିବା ସହ ଗ୍ୟାସ ଯୋଗାଣ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ କେବେ ପଦକ୍ଷେପ ନେଉଛନ୍ତି ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।
ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
By Charcha News












