‘TN 07 CM 2026’ କୁ ନେଇ ଚର୍ଚ୍ଚା, ସିନେମାରେ ହିଁ ଦେଇଥିଲେ ମୁଖ୍ୟମନ୍ରୀ ହେବାର ସଙ୍କେତ ?
BY_SUBHASMITA-7.5.2026
ତାମିଲନାଡୁ ରାଜନୀତିରେ ଏବେ ଥାଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । ୨୦୨୪ରେ ରାଜନୀତିରେ ପ୍ରବେଶ କରିଥିବା ସୁପରଷ୍ଟାର ବିଜୟ ନିଜର ପ୍ରଥମ ବିଧାନସଭା ନିର୍ବାଚନରେ ହିଁ ବଡ଼ ସଫଳତା ହାସଲ କରିଛନ୍ତି । ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜାଗାମ୍’ (TVK) ସର୍ବାଧିକ ଆସନ ଜିତି ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି ।
କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏକ ଭାଇରାଲ ଭିଡିଓ । ବିଜୟଙ୍କ ସୁପରହିଟ୍ ଫିଲ୍ମ ‘The Greatest Of All Time’ (GOAT) ର ଏକ ସିନ୍ରେ ଦେଖାଯାଇଥିବା କାର୍ର ନମ୍ବର ପ୍ଲେଟ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହି କାର୍ର ନମ୍ବର ଥିଲା ‘TN 07 CM 2026’ ।ଫ୍ୟାନ୍ସମାନଙ୍କ କହିବା ଅନୁସାରେ, ‘TN’ ଅର୍ଥ ତାମିଲନାଡୁ, ‘CM’ ଅର୍ଥ ମୁଖ୍ୟମନ୍ରୀ ଏବଂ ‘2026’ ହେଉଛି ନିର୍ବାଚନ ବର୍ଷ । ଅର୍ଥାତ୍ ବିଜୟ ଦୁଇ ବର୍ଷ ପୂର୍ବରୁ ହିଁ ସିନେମା ମାଧ୍ୟମରେ ନିଜ ରାଜନୈତିକ ଭବିଷ୍ୟତର ସଙ୍କେତ ଦେଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି ତାମିଲନାଡୁର ୨୩୪ଟି ବିଧାନସଭା ଆସନ ମଧ୍ୟରୁ TVK ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ତେବେ ବହୁମତ ପାଇଁ ଆବଶ୍ୟକ ୧୧୮ ସିଟ୍ରୁ ଦଳ ମାତ୍ର ୧୦ଟି ସିଟ୍ ପଛରେ ରହିଯାଇଛି । ଏହା ପରେ ରାଜ୍ୟରେ ମେଣ୍ଟ ରାଜନୀତି ଜୋର ଧରିଛି । କଂଗ୍ରେସ, CPI, CPI(M) ଏବଂ VCK ଭଳି ଦଳମାନଙ୍କ ସମର୍ଥନରେ ବିଜୟ ସରକାର ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । କେହି କହୁଛନ୍ତି “ବିଜୟ ପୂର୍ବରୁ ସବୁ ପ୍ଲାନ୍ କରିଥିଲେ”, ଆଉ କେହି କହୁଛନ୍ତି “ମେଣ୍ଟ ସରକାର ଗଢ଼ିବା ସହଜ ହେବ ନାହିଁ” । ତେବେ ତାମିଲନାଡୁ ରାଜନୀତିରେ ଏହି ନୂଆ ଅଧ୍ୟାୟ ଆଗକୁ କେଉଁ ମୋଡ଼ ନେଉଛି, ସେଥିପାଇଁ ସମସ୍ତଙ୍କ ନଜର ଏବେ ବିଜୟଙ୍କ ଉପରେ ରହିଛି ।
ଚର୍ଚ୍ଚା news












