କପ୍ତିପଦା / ଉଦଳା (ରାଜୀବ କୁମାର ବେହେରା):
ନିଜକୁ ଶ୍ରମ ଅଧିକାରୀ ବୋଲି ପରିଚୟ ଦେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣେ ମହିଳାଙ୍କୁ କପ୍ତିପଦା ପୋଲିସ ଗିରଫ କରିଛି। ଗିରଫ ମହିଳା ହେଲେ ଭୁବନେଶ୍ୱର ହଂସପାଳ ଅଞ୍ଚଳର ବିନୋଦିନୀ ନାୟକ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତା ନିଜକୁ ସରକାରୀ ଶ୍ରମ ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ସରକାରୀ ଲୋନ୍ କରାଇଦେବା, ଚାକିରି ମିଳାଇଦେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ। ଏହି ଠକେଇ କାର୍ଯ୍ୟ ପାଇଁ ସେ ୩୦ରୁ ଅଧିକ ସିମ୍ କାର୍ଡ ବ୍ୟବହାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।
କପ୍ତିପଦା ଥାନା ଅଧୀନ ପରାଶିବାଡ଼ି ଅଞ୍ଚଳରେ ଲୋନ୍ କରାଇଦେବାକୁ କହି ୩୦ ଲକ୍ଷ ଟଙ୍କାରୁ ଅଧିକ ରାଶି ନେଇ ଟଙ୍କା ଫେରାଇ ନଥିବା ନେଇ ପୀଡ଼ିତଙ୍କ ଦ୍ୱାରା କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ୮/୨୬ ନମ୍ବର ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଦୀର୍ଘ ସମୟ ଧରି ଆତ୍ମଗୋପନ କରିଥିବା ଅଭିଯୁକ୍ତାଙ୍କୁ ପୋଲିସ ଉଠାଇ ଆଣି ଗିରଫ କରିଥିବା ବେଳେ, ତଦନ୍ତ ସମୟରେ ଓଡ଼ିଶାର ବିଭିନ୍ନ ଥାନାରେ ତାଙ୍କ ବିରୁଦ୍ଧରେ ଅନେକ ଠକେଇ ମାମଲା ଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି।
ଏହି ଘଟଣାରେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା କଥା କପ୍ତିପଦା ଥାନା IIC ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।
ନିଜକୁ ଶ୍ରମ ଅଧିକାରୀ କହି ୩ କୋଟିରୁ ଅଧିକ ଟଙ୍କା ଠକେଇ
By Charcha News












