ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି।
BY-subhasmita-dt-21.7.2026
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ବାର୍ତ୍ତା ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ସହ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ‘ମଙ୍ଗଳ ମିଳନ’ ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଥିଲେ। ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ଦେଶର ସାମୂହିକ ଦାୟିତ୍ୱ। ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ପରୀକ୍ଷା ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।
ସେ ଆହୁରି କହିଛନ୍ତି, ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ସହ ଜଡିତ ପ୍ରସଙ୍ଗରେ ସମସ୍ତ ଦଳ ସଂସଦରେ ଗଠନମୂଳକ ଭୂମିକା ନେବା ଉଚିତ।
ମୋଦୀଙ୍କ ଅନୁସାରେ, ନିଟ୍ ପରୀକ୍ଷାରେ ଅନିୟମିତତା ସାମ୍ନାକୁ ଆସିବା ପରେ ସରକାର ତୁରନ୍ତ ଗିରଫଦାରୀ ଓ ଦୃଢ଼ ପଦକ୍ଷେପ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ନହେଉ ବୋଲି ବିଳମ୍ବ ନକରି ପୁନଃ ପରୀକ୍ଷା ଆୟୋଜନ କରାଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
ଚର୍ଚ୍ଚା news












