ଉଦଳା – (ରାଜୀବ କୁମାର ବେହେରା), ୧୦/୧୧/୨୦୨୫:
ଖୁଣ୍ଟା ବ୍ଲକ୍ର ବାହାନଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର୍ ଗ୍ରାମରେ ଭୋର ସକାଳେ ଗୋଟିଏ ଷଣ୍ଢ ତୀରବିଦ୍ଧ ଅବସ୍ଥାରେ ମିଳିଥିବା ଘଟଣା ଅଞ୍ଚଳରେ ତୀବ୍ର ଉତେଜନା ସୃଷ୍ଟି କରିଛି। ଅଜଣା କୁକର୍ମୀ ଦ୍ୱାରା ରାତିରେ ଷଣ୍ଢଟିକୁ ଧନୁ–ସର ମାଡ଼ ମାରି ଗୁରୁତର ଆହତ କରାଯାଇଥିବା ଅଭିଯୋଗ ଉଠିଛି। ନିରୀହ ପଶୁ ଉପରେ ଏହି ଅମାନବିୟ ଆକ୍ରମଣକୁ ନେଇ ସମାଜର ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ମିଳୁଛି।
ଘଟଣା ପରେ ଆଦିବାସୀ ସେଙ୍ଗେଲ୍ ଅଭିଯାନ, ମୟୁରଭଞ୍ଜର ଜିଲ୍ଲା ସଭାପତି ଉଦୟନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ପଶୁ ଚିକିତ୍ସା ଟୋଲ୍–ଫ୍ରି ନମ୍ବର ୧୯୬୨ କୁ ଫୋନ୍ କରି ତତ୍କ୍ଷଣାତ୍ ଆମ୍ବୁଲାନ୍ସ ଓ ପଶୁ ଚିକିତ୍ସା ସହାୟତା ମାଗାଯାଇଥିଲା। ଖବର ପାଇ ପ୍ରାଣୀଚିକିତ୍ସା ବିଭାଗର ଡାକ୍ତରି ଦଳ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢ ଦେହରେ ବିନ୍ଧା ତୀରକୁ କାଢ଼ି, କ୍ଷତସ୍ଥାନରେ ଔଷଧ ଲାଗି ଚିକିତ୍ସା କରିଥିଲେ।
ଘଟଣା ପରେ ଉଦୟନାଥ ହେମ୍ବ୍ରମ ନିଜ ଘରେ ଷଣ୍ଢଟିକୁ ସୁରକ୍ଷିତ ଭାବରେ ରଖି ଖାଦ୍ୟ ଓ ସେବା–ସୁସୃଷା କରୁଥିବା ଦୃଶ୍ୟ ଗାଁ–ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି ମାନବିକ ଉଦାହରଣ ଆଜିକଲି ବିରଳ ମିଳୁଥିବାରୁ ସାଧାରଣ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି।
ଏହି ଅମାନବିୟ କାଣ୍ଡ ପାଇଁ କିଏ ଦାୟୀ, କିଏ ଷଣ୍ଢ ଉପରେ ଆକ୍ରମଣ କରିଲା—ତାହା ଏପର୍ଯ୍ୟନ୍ତ ଜଣାଯାଇନାହିଁ। ସେଙ୍ଗେଲ୍ ଅଭିଯାନ ପକ୍ଷରୁ ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବା ଦାବି ଉଠିଛି। ଏନିମିତ୍ତ ତଦନ୍ତ ଜାରି ରହିଛି।
ଘଟଣାସ୍ଥଳରେ ରଘୁନାଥପୁର୍ ଗ୍ରାମର ବିଶେସ୍ବର ହେମ୍ବ୍ରମ, ଲିଙ୍ଗରାଜ ସୋରେନ, ଜଟା ସୋରେନ ସହ ଅନ୍ୟାନ୍ୟ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଡାକ୍ତରି ଦଳ ପକ୍ଷରୁ ସୂଚନା ମିଳିଛି ଯେ, ଷଣ୍ଢଟି ବର୍ତ୍ତମାନ ସୁସ୍ଥ ଅବସ୍ଥାରେ ଅଛି।












