ପାଠ୍ୟପୁସ୍ତକରେ ଭୟଙ୍କର ତ୍ରୁଟି ହେଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କମିସନ ଫାଇଲ ହଜିବା ଘଟଣା, ସବୁ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ତଳତଳିଆ ଅଧିକାରୀଙ୍କ ମଧ୍ୟରେ ସୀମିତ ରହୁଥିବା ଅଭିଯୋଗ ହେଉଛି । ରାଜ୍ୟରେ ଯେକୌଣସି ବଡ଼ ବିବାଦ କିମ୍ବା ସରକାରୀ ସ୍ତରରେ ତ୍ରୁଟି ସାମ୍ନାକୁ ଆସିଲେ ଗୋଟିଏ ସମାନ ଚିତ୍ର ଦେଖିବାକୁ ମିଳୁଛି । ତାହା ହେଉଛି ‘ଛୋଟ ମାଛଙ୍କୁ ଜାଲ, ବଡ଼ ମାଛଙ୍କୁ ଖଲାସ’ । ପାଠ୍ୟପୁସ୍ତକରେ ଭୟଙ୍କର ତ୍ରୁଟି ହେଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କମିସନ ଫାଇଲ ହଜିବା ଘଟଣା, ସବୁ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ତଳତଳିଆ ଅଧିକାରୀଙ୍କ ମଧ୍ୟରେ ସୀମିତ ରହୁଥିବା ଅଭିଯୋଗ ହେଉଛି । ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅବହେଳା ପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ ମୁଖ୍ୟତଃ ଦାୟୀ, ସେମାନଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବାଧକ କିଏ ସାଜୁଛି, ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସ୍କୁଲ ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ପ୍ରକାଶ ପାଇବା ଘଟଣାକୁ ଦେଖିଲେ ଜଣାପଡ଼େ ଯେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣାରେ ଅଧିକାରୀଙ୍କୁ ନିଲମ୍ବିତ କରି ସରକାର ନିଜ କର୍ତ୍ତବ୍ୟ ସାରି ଦେଉଛନ୍ତି । ମାତ୍ର ଯେଉଁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବହିଗୁଡ଼ିକ ପ୍ରକାଶ ପାଉଛି, ସେମାନଙ୍କୁ କାହିଁକି ଉତ୍ତରଦାୟୀ କରାଯାଉ ନାହିଁ ? ସେହିପରି ବିଭିନ୍ନ ବିବାଦୀୟ ଘଟଣାର ତଦନ୍ତ ପାଇଁ ଗଠିତ କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ଘଟଣା ପ୍ରଶାସନିକ ଶିଥିଳତାର ଚରମ ସୀମା ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ସୁରକ୍ଷା ଦାୟିତ୍ୱରେ ଥିବା ଶୀର୍ଷ ଅଧିକାରୀଙ୍କୁ ଛାଡ଼ି କେବଳ ରେକର୍ଡ କିପରଙ୍କ ଉପରେ ଦୋଷ ଲଦି ଦିଆଯିବା ଏକ ନିତିଦିନିଆ ଘଟଣା ପାଲଟିଛି ।
ଅନ୍ୟପକ୍ଷରେ, ଅନେକ ସମ୍ବେଦନଶୀଳ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଉଛି ସତ, କିନ୍ତୁ ଅଧିକାଂଶ ସମୟରେ ତଦନ୍ତର ଗତିପଥ ବଡ଼ ଅଧିକାରୀଙ୍କ ଦୁଆର ମୁହଁରୁ ଫେରି ଆସୁଛି । କ୍ରାଇମବ୍ରାଞ୍ଚ ରାସ୍ତାରେ ଅଦୃଶ୍ୟ ପ୍ରଶାସନିକ ଚାପ କିମ୍ବା ରାଜନୈତିକ ସୁରକ୍ଷା ବାଧକ ସାଜୁଛି କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଯେପର୍ଯ୍ୟନ୍ତ ନୀତି ନିର୍ଦ୍ଧାରଣ କରୁଥିବା ଏବଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଏଭଳି ଅବହେଳା ଜାରି ରହିବ । କେବଳ ତଳିଆ କର୍ମଚାରୀ ବା ଅଧିକାରୀଙ୍କୁ ବଳି ପକାଇ ବଡ଼ ବାବୁମାନଙ୍କୁ ସୁରକ୍ଷା ଦେବା ଦ୍ୱାରା ଶାସନ ବ୍ୟବସ୍ଥାରେ ସଂସ୍କାର ଆସିବା ଅସମ୍ଭ ବ। ସରକାରଙ୍କ ଏହି କୋହଳ କାର୍ଯ୍ୟାନୁଷ୍ଠାନ ନୀତି ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରୁଛି ।
ଚର୍ଚ୍ଚା news











