ଉମରକୋଟ/ ଶ୍ରୀକାନ୍ତ ନନ୍ଦ: ଉମରକୋଟ ସ୍ଥାନୀୟ ଫକିରମୋହନ ପଠନଶାଳାର ୧୮ତମ ବାର୍ଷିକ ଉତ୍ସବ ମକର ମିଳନ ଓ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଭବ୍ୟ ଭାବେ ପାଳିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ମୁଖପତ୍ର “ସାରସ୍ୱତ” (ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବିଶେଷାଙ୍କ) ସହିତ କବି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ “ଭଜନାବଳୀ – ନୀଳକନ୍ଦରରେ ଶ୍ରୀଜଗନ୍ନାଥ” ଏବଂ ଡଃ ସୁରେନ୍ଦ୍ରନାଥ ଦାସଙ୍କ ଦୁଇଟି ଐତିହାସିକ ଉପନ୍ୟାସ “ଏଣ୍ଟେବରେ ୯୦ ମିନିଟ୍” ଓ “ରକ୍ତଭିଜା ମେବାରର ଏକ ଛିନ୍ନ ପୃଷ୍ଠା” ପୁସ୍ତକ ଲୋକାର୍ପିତ ହୋଇଥିଲା।
କାର୍ଯ୍ୟକ୍ରମର ଉଦ୍ଘାଟନ ସ୍ଥାନୀୟ ତହସିଲଦାର ଶ୍ରୀ ମଘବାନ ବାଗ କରିଥିବାବେଳେ, ଅନ୍ୟାନ୍ୟ ଅଧିବେଶନଗୁଡିକରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ଯୋଗଦେଇ ଶିକ୍ଷାରେ ମୂଲ୍ୟବୋଧର ଆବଶ୍ୟକତା ଉପରେ ଗଭୀର ଆଲୋଚନା କରିଥିଲେ। ଆଲୋଚନା ଚକ୍ରରେ ପ୍ରାକ୍ତନ କୋରାପୁଟ ଜିଲ୍ଲାପାଳ ଶ୍ରୀ ଗଦାଧର ପରିଡା କୋରାପୁଟ ଜିଲ୍ଲାର ଶିକ୍ଷା ପରିସ୍ଥିତି ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ଡଃ ଅନୀଲ କୁମାର ମିଶ୍ର, ଡଃ ପ୍ରଦୀପ କୁମାର ମିଶ୍ର, ରାମଚନ୍ଦ୍ର ରାମ, ନମିତା ମହାପାତ୍ର, ଟୁଟୁବାବୁ ପଟ୍ଟନାୟକ, ଶ୍ରୀନିବାସ ପଟ୍ଟନାୟକ ନାୟକ, ସାଗର କୁମାର ପରିଡା ପ୍ରମୁଖ ଯୋଗଦେଇ ବ୍ୟାସକବି ଫକିରମୋହନ ସେନାପତିଙ୍କ ସ୍ମୃତିଚାରଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ପାଠ କରି ମାନପତ୍ର ଓ ସ୍ମୃତିଚିହ୍ନ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ।
ଶେଷରେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରାଯାଇ ଗୁଡି ଉଡାଇ ମକର ମିଳନ ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲା, ଉମରକୋଟରୁ ଶ୍ରୀକାନ୍ତ ନନ୍ଦଙ୍କ ରିପୋର୍ଟ।
ଫକିରମୋହନ ପଠନଶାଳାର ବାର୍ଷିକ ଉତ୍ସବ
By Charcha News












