ସାମ୍ବାଦିକ -ରାଜୀବ କୁମାର ବେହେରା
ତାରିଖ-୩୦-୦୪-୨୦୨୬
ଉଦଳା : ରାଜ୍ୟରେ କାଳବୈଶାଖୀ ଝଡ଼-ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଜାରି ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ଦାମୁସାହି ଗ୍ରାମରେ ବଜ୍ରପାତରେ ୫ଜଣ ଚାଷୀଙ୍କର ମୋଟ ୧୨ଟି ଗୋରୁ ମୃତ୍ୟୁ ବରଣ କରିଛି। ସୂଚନା ଅନୁସାରେ, ସକାଳ ସମୟରେ ସବୁଦିନ ପରି ଗୋରୁମାନଙ୍କୁ ଚରିବା ପାଇଁ ଛାଡ଼ାଯାଇଥିଲା। ପ୍ରଖର ଖରାରୁ ବଞ୍ଚିବା ପାଇଁ ସେମାନେ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ୍ କାଳବୈଶାଖୀ ସହ ବର୍ଷା ଓ ବଜ୍ରପାତ ଆରମ୍ଭ ହୋଇଥିଲା। ଗଛ ତଳେ ଥିବା ସମୟରେ ବଜ୍ରପାତରେ ସମସ୍ତ ଗୋରୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ଏହି ଘଟଣାରେ ପୀଡିତ ୫ଜଣ ଚାଷୀଙ୍କୁ ଭାରି ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଗୋରୁମାନେ ଚାଷୀଙ୍କ ଜୀବିକାର ମୁଖ୍ୟ ଆଧାର ହେବାରୁ, ଏହି କ୍ଷତି ସେମାନଙ୍କ ପାଇଁ ଅପୂରଣୀୟ ବୋଲି ଗ୍ରାମବାସୀମାନେ କହିଛନ୍ତି। ଖବର ପାଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ବ୍ୟବସ୍ଥା ନେଇ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଗ୍ରାମବାସୀମାନେ ମୃତ ଗୋରୁମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଛାଇଯାଇଥିବା ବେଳେ ପୀଡିତ ଚାଷୀମାନେ ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନେବା ବିପଦଜନକ। ଏପରି ସମୟରେ ଖୋଲା ସ୍ଥାନ ଓ ଉଚ୍ଚ ସ୍ଥାନରୁ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି। ପୀଡିତ ଚାଷୀମାନେ ଶୀଘ୍ର ଯଥୋଚିତ କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି।
ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
By Charcha News












