ସାମ୍ବାଦିକ ରାଜୀବ କୁମାର ବେହେରା
ମୟୁରଭଞ୍ଜ : ବାପା ଓ ମାଆ—ଜୀବନର ସବୁଠାରୁ ବଡ଼ ସାହାରା। କିନ୍ତୁ ସେହି ସାହାରା ଯେତେବେଳେ ଏକ ପରେ ଏକ ଚାଲିଯାଏ, ସେତେବେଳେ ଜୀବନ ଅନ୍ଧାର ହୋଇଯାଏ। ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଦଡିହା ନର୍ସରୀ ସାହି ଅଞ୍ଚଳରେ। ବାପାଙ୍କ ମୃତ୍ୟୁ ପରେ ଏଯାବତ୍ ବର୍ଷେ ମଧ୍ୟ ପୂରା ହୋଇନଥିବାବେଳେ, ଅର୍ଥାଭାବ ହେତୁ ଚିକିତ୍ସା ନପାଇ ମାଆଙ୍କ ମଧ୍ୟ ଜୀବନ ଚାଲିଗଲା। ଆଜିକୁ କେବଳ କିଛି ଦିନ ପୂର୍ବରୁ ମାଆଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ପରିବାରଟି ମୁରବି ଶୂନ୍ୟ ହୋଇପଡ଼ିଛି, ବାପା ମାଆ ଛେଉଣ୍ଡ ହୋଇଛନ୍ତି ୩ ଅନାଥ ନାବାଳକ। ଭଙ୍ଗା ଦଦରା ଘର ଭିତରେ ଏବେ ରହୁଛନ୍ତି ତିନି ଜଣ ନାବାଳକ ଶିଶୁ। ନାହିଁ ନିଶ୍ଚିତ ଖାଦ୍ୟ, ନାହିଁ ପିନ୍ଧିବାକୁ ଭଲ କପଡ଼ା, ନାହିଁ ଶିକ୍ଷାର ସୁରକ୍ଷା। ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପବାସ—ଏମିତି ଭାବେ ଚାଲିଛି ସେମାନଙ୍କ ଜୀବନ। ବାପା–ମାଙ୍କ ପରେ ଏକମାତ୍ର ସାହାରା ହୋଇ ରହିଛନ୍ତି ବିଧବା ଓ ଦିବ୍ୟାଙ୍ଗ ବୃଦ୍ଧା ବୁଢ଼ୀମା। କିନ୍ତୁ ବୟସ ର ଅପରାହ୍ନ ଓ ଅସମର୍ଥତା ହେତୁ ସେ ମଧ୍ୟ ଏହି ତିନି ଶିଶୁଙ୍କ ଭବିଷ୍ୟତକୁ ନେଇ ଦିନକୁ ଦିନ ଚିନ୍ତାରେ ରହୁଛନ୍ତି। ମାଆଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ମଧ୍ୟ ପରିବାର ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଦୁଇ ଭାଇ ଓ ବଡ଼ ଭଉଣୀ ପାଠପଢ଼ାକୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସରକାରୀ ଯୋଜନା ଏହି ପରିବାର ପାଇଁ ଏବେ ସାତ ସପନ ହୋଇ ରହିଯାଇଛି। ଏଭଳି ହୃଦୟବିଦାରକ ଦୃଶ୍ୟ ଆମ ସମାଜକୁ ନିନ୍ଦିତ କରି ଦେଉଛି। ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଂଚି ନଥିବା କଥା ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମ ବlସି l ଗ୍ରାମବାସୀମାନେ ସରକାର, ପ୍ରଶାସନ, ସ୍ଵେଛାସେବୀ ସଂଗଠନ ଓ ସମସ୍ତ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ଏହି ତିନି ଅନାଥ ନାବାଳକଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିବାକୁ ବିନମ୍ର ଅନୁରୋଧ କରିଛନ୍ତି।ଆଜି ସାହାଯ୍ୟ ମିଳିଲେ ହିଁ ଆସନ୍ତାକାଲି ଏହି ଶିଶୁମାନେ ଏକ ସୁନ୍ଦର ଭବିଷ୍ୟତ ଦେଖିପାରିବେ।












