ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।
ବୈତରଣୀ ନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଦଶରଥପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି । ବ୍ଲକର ଅନେକ ସ୍ଥାନରେ ଘାଇ ଓ ବନ୍ଧ ଧସିବା ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଜୟନ୍ତରା ମହାପାତ୍ରସାହି ନିକଟ ଘେରିବନ୍ଧରେ ପ୍ରାୟ ୧୨୦ ଫୁଟର ଘାଇ ହୋଇଛି। ସେହିପରି କାଣୀ ନଦୀର ତରପଦା ପଞ୍ଚାୟତର ଡୋଭାବିଲ ଓ ପାଟଣା ନିକଟରେ ମଧ୍ୟ ଘାଇ ସୃଷ୍ଟି ହୋଇଛି ।
ଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେବାରୁ ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତର ୫୯ଟି ରାଜସ୍ୱ ଗାଁ ପ୍ରଭାବିତ ହୋଇଛି । ପ୍ରାୟ ୯୦ ହଜାର ୮୬୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୩୮ ହଜାର ୭୨୫ ଜଣଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି। ଆଶ୍ରୟସ୍ଥଳୀରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ଅନ୍ୟପଟେ, ଦୁଦୁରାଅଣ୍ଟା ପଞ୍ଚାୟତ କୁଅଁରସାହି ନିକଟରେ ବୈତରଣୀର ମୁଖ୍ୟବନ୍ଧ ପ୍ରାୟ ୧୦୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାରେ ଧସିଛି । ପାଟଣା ନିକଟରେ ମଧ୍ୟ ଦୁଇଟି ସ୍ଥାନରେ ବନ୍ଧ ଧସିଛି । ଏପରି ସ୍ଥିତିରେ ଦଶରଥପୁର ଅଗ୍ନିଶମ ବାହିନୀ ପାଣି ଘେରରେ ଓ ଘର ଛାତ ଉପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ।
ଚର୍ଚ୍ଚା TV












