ତାରିଖ- ୨୧ -୦୨-୨୦୨୬
ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅଧିନ ଆଦର୍ଶ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ସମ୍ମାନିତ ଅତିଥି ରୂପେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ,ଅତିରିକ୍ତ ତହସିଲଦାର ଦିପାରାଣୀ ବେହେରା ଯୋଗଦେଇ ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିଥିବା ବରପୁତ୍ର ଙ୍କ ଫଟୋ ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷାର ଗାରିମା ଏବଂ ଏହାର ଶାସ୍ତ୍ରୀୟ ମାନ୍ୟତା ଉପରେ ଆଲୋକପାତ କରିଥିଲେ। ମାତୃଭାଷା ହିଁ ଜଣେ ବ୍ୟକ୍ତିର ପରିଚୟ ଏବଂ ଏହାର ସଂରକ୍ଷଣ ଦିଗରେ ଯୁବପିଢ଼ି ଯତ୍ନବାନ ହେବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଶେଷ କରି ସରକାରୀ ସ୍ତରରେ ଏବଂ ସାଧାରଣ ବ୍ୟବହାରରେ ଓଡ଼ିଆ ଭାଷାର ପ୍ରୟୋଗକୁ ଅଧିକ ବ୍ୟାପକ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଗଳ୍ପ କଥନ,ପ୍ରତିଶବ୍ଦ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ଅତିଥି ,ଅଧିକାରୀ ଓ ଛାତ୍ର ଛାତ୍ରୀ ମାନେ ନିଜ ମାତୃଭାଷାକୁ ସମ୍ମାନ ଦେବା ସହ ଏହାର ପ୍ରଚାର ପ୍ରସାର ପାଇଁ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ,ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ,ଅକ୍ଷୟ କୁମାର ପଣ୍ଡା, ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।












