‘ସୂଚନା ଓ ସଚେତନତା ଟ୍ରଷ୍ଟ୍’ ପ୍ରଥମ ସଂଖ୍ୟାର ଶୀର୍ଷକ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର” ଓଡ଼ିଆ ପରିଚୟର ସ୍ୱରୂପକୁ ସଠିକ୍ ଭାବେ ପ୍ରତିଫଳିତ କରିଛି। ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଭାଷାର ବ୍ୟାପ୍ତି ଓ ପ୍ରାସଙ୍ଗିକତା ବୃଦ୍ଧି ପାଉଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।
BY-SUBHASMITA-DT-21.4.2026
ଭୁବନେଶ୍ୱର:ଯେଉଁ ଭାଷା ଯେତେ ସକ୍ରିୟ ଭାବରେ କଥିତ, ପ୍ରଚଳିତ ଓ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରିତ ହୁଏ, ସେ ଭାଷା ସେତେ ସମୃଦ୍ଧ ହୁଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି। ସେ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାରକୁ ବଢ଼ାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ସୂଚନା ଓ ସଚେତନତା ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ “କହୁଛି ଓଡ଼ିଶା” ପତ୍ରିକା ଓ ଏହାର ୱେବ୍ ପୋର୍ଟାଲ୍ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଥିଲେ।ରାଜ୍ୟପାଳ କହିଥିଲେ ଯେ, ଭାଷା, ପରମ୍ପରା, ରୀତିନୀତି ଓ ଇତିହାସ ଏକ ସମାଜର ପରିଚୟ ଗଢ଼େ। ଓଡ଼ିଆ ଭାଷା ଭାରତର ପ୍ରାଚୀନତମ ଶାସ୍ତ୍ରୀୟ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ହୋଇଥିବା ସହିତ ଏହା ଶତାବ୍ଦୀଧରି ଜ୍ଞାନ ଓ ବୌଦ୍ଧିକ ପରମ୍ପରାକୁ ଧାରଣ କରିଆସିଛି।ସେ ଆହୁରି କହିଥିଲେ ଯେ, ଓଡ଼ିଶାର ପର୍ବପର୍ବାଣି, କଳା, ସାହିତ୍ୟ, ଐତିହ୍ୟ ସ୍ଥଳ, ସାମୁଦ୍ରିକ ପରମ୍ପରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ରାଜ୍ୟର ସ୍ୱତନ୍ତ୍ର ପରିଚୟକୁ ପ୍ରକାଶ କରେ। ଭାଷା ଓ ସଂସ୍କୃତି ଜୀବନ୍ତ ସମ୍ପଦ ହେବା ସହିତ ଏହା ନିଜର ଐତିହ୍ୟ ସହ ଦୃଢ଼ ସମ୍ପର୍କ ରଖି ବିକାଶ ହେବା ଆବଶ୍ୟକ।‘ସୂଚନା ଓ ସଚେତନତା ଟ୍ରଷ୍ଟ’ ପ୍ରଥମ ସଂଖ୍ୟାର ଶୀର୍ଷକ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର” ଓଡ଼ିଆ ପରିଚୟକୁ ସଠିକ୍ ଭାବେ ପ୍ରତିଫଳିତ କରିଛି ବୋଲି ସେ ମତ ପ୍ରକାଶ କରିଥିଲେ। ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଭାଷାର ବ୍ୟାପ୍ତି ଓ ପ୍ରାସଙ୍ଗିକତା ବଢ଼ୁଥିବାରୁ ଏହା ଭବିଷ୍ୟତ ପିଢ଼ି ପାଇଁ ଉପକାରୀ ହେବ ବୋଲି ସେ କହିଥିଲେ।ପ୍ରତ୍ୟେକ ପରିବାରରେ ପିଲାମାନଙ୍କୁ ଓଡ଼ିଆରେ କଥା କହିବା, ପଢ଼ିବା ଓ ଲେଖିବା ପାଇଁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାଷାଗତ ପରିଚୟର ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଓ ଏହା ଅନ୍ୟ ଭାଷା ବିରୋଧରେ ନୁହେଁ, ବରଂ ନିଜ ଭାଷାର ସମୃଦ୍ଧି ପାଇଁ ଏକ ପ୍ରୟାସ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ପ୍ରାପ୍ତ ଶିଳ୍ପୀ ସୁଦର୍ଶନ ସାହୁ ମତାମତ ରଖିଥିଲେ। ଟ୍ରଷ୍ଟର ସଭାପତି ଅଶୋକ ଭଗତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅଜିତ କୁମାର ବାରିକ ଧନ୍ୟବାଦ ଜଣାଇଥିଲେ। ପଦ୍ମଶ୍ରୀ ବିଜେତା ଅଦ୍ୱୈତ ଗଡ଼ନାୟକ, ଦମୟନ୍ତୀ ବେଶରା ଓ ବିଶିଷ୍ଟ ସାମ୍ବାଦିକ ଡ଼. ରାଜାରାମ ଶତପଥୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଚର୍ଚ୍ଚା news
