ଉଦଳାରୁ ଶୁଭାରମ୍ଭ, ମତଦାତାଙ୍କୁ ସଚେତନ କରିବ ପ୍ରଶାସନ :
BY-ରାଜୀବ କୁମାର ବେହେରା
ଉଦଳା, ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍-୨୦୨୬) କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ପାଇଁ ଉଦଳାରେ ଏକ ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଛି। କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ଏହି ରଥକୁ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲେ।
ଏହି ସଚେତନତା ରଥ ଉଦଳା ଏନ୍ଏସି, ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ। ନୂତନ ମତଦାତାଙ୍କ ପଞ୍ଜିକରଣ, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ଭଳି ପ୍ରକ୍ରିୟା ବିଷୟରେ ଲୋକଙ୍କୁ ସଚେତନ କରାଯିବ।
ଉପଜିଲ୍ଲାପାଳ ଶ୍ରୀ ବାରିକ କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ବିଏଲ୍ଓମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ପୂରଣ କରିବା ସହ ଆବେଦନକାରୀଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରିବେ। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ନାମକୁ ବାଦ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭୋଟର ତାଲିକା ସମ୍ପର୍କିତ କୌଣସି ସୂଚନା କିମ୍ବା ସହାୟତା ପାଇଁ ସାଧାରଣ ନାଗରିକମାନେ ଟୋଲ୍ ଫ୍ରି ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ।
ଏହି ଅବସରରେ ଉଦଳା ତହସିଲଦାର ସୁପ୍ରଭା ଦାସ, ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଚର୍ଚ୍ଚା news












