ଉଦଳା, (ରାଜୀବ କୁମାର ବେହେରା):
ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଅଞ୍ଚଳସ୍ଥ ଢୁଢୁହା ଶୈବ ପୀଠରେ ପବିତ୍ର ମହାବାରୁଣୀ ସ୍ନାନଯାତ୍ରା ଅତ୍ୟନ୍ତ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଗଙ୍ଗାହାର ନଦୀ ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ପୀଠରେ ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖାଗଲା।
ପ୍ରତିବର୍ଷର ଭଳି ଏହିବର୍ଷ ମଧ୍ୟ ଭକ୍ତମାନେ ଦୂରଦୂରାନ୍ତରୁ ଏଠାରେ ପହଞ୍ଚି ବାବା ଢୁଢୁହେଶ୍ୱରଙ୍କ ଦର୍ଶନ କରିବା ସହ ପବିତ୍ର କୁଣ୍ଡରେ ସ୍ନାନ କରିଥିଲେ। ବର୍ଷର ଅଧିକାଂଶ ସମୟ ନଦୀର ପ୍ରବଳ ସ୍ରୋତ ମଧ୍ୟରେ ରହୁଥିବା ଏହି ପବିତ୍ର ସ୍ଥଳ କେବଳ ଏହି ଦିନରେ ଭକ୍ତମାନଙ୍କ ପାଇଁ ଖୋଲାଯାଇଥାଏ।
ସ୍ନାନଯାତ୍ରା ଅବସରରେ ନଦୀର ଜଳ ପ୍ରବାହକୁ ଅସ୍ଥାୟୀ ଭାବେ ପରିବର୍ତ୍ତନ କରି କୁଣ୍ଡରୁ ଜଳ ନିଷ୍କାସନ କରାଯାଇଥିଲା, ଯାହାଦ୍ୱାରା ଭକ୍ତମାନେ ସ୍ୱଚ୍ଛ ଭାବରେ ପୂଜାର୍ଚ୍ଚନା କରିପାରିଥିଲେ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସ୍ନାନ କଲେ ପାପକ୍ଷୟ ଓ ପୁଣ୍ୟଲାଭ ହୋଇଥାଏ।
ଏହା ସହିତ ‘ଗୁପ୍ତ ଗଙ୍ଗା’ ଏବଂ ନିକଟସ୍ଥ ପାହାଡ଼ରେ ଥିବା ଭୀମଙ୍କ ପାଦଚିହ୍ନ ଦର୍ଶନ ପାଇଁ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ଦେଖାଗଲା। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା।
ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଖୁଣ୍ଟା ପୋଲିସ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରାଯାଇଥିବା ସହ ଏକ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯାଇଥିଲା। ଅଗ୍ନିଶମ ବିଭାଗ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ ସଜାଗ ରହିଥିଲା।
ବାରୁଣୀ ସ୍ନାନ କମିଟି ପକ୍ଷରୁ ମେଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ, ୮ ଦିନ ଧରି ଏହି ମେଳା ଚାଲିବ ବୋଲି ସୂଚନା ମିଳିଛି। ଏହା ଫଳରେ ସମଗ୍ର ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି।
ମହାବାରୁଣୀ ସ୍ନାନରେ ଖୁଣ୍ଟା ଢୁଢୁହା ପୀଠରେ ଭକ୍ତଙ୍କ ଭିଡ :ଗଙ୍ଗାହାର ନଦୀ କୂଳରେ ଆଧ୍ୟାତ୍ମିକ ଉତ୍ସବର ମାହୋଲ
By Charcha News












