ଆନ୍ଧ୍ରରେ ବାତ୍ୟା, ଦକ୍ଷିଣ ଓଡ଼ିଶାରେ ଛନକା
ଆନ୍ଧ୍ରରେ ବାତ୍ୟା, ଓଡ଼ିଶାରେ ବିପଦ!
ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ‘ମୁରାସୁ’ । ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇଛି ବାତ୍ୟା, ହେଲେ ଓଡ଼ିଶାରେ ବଢ଼ିଛି ବର୍ଷା ବିପଦ । ଦକ୍ଷିଣ ଓଡ଼ିଶାକୁ ଘାରିଛି ଛନକା । ଗଞ୍ଜାମ, ଗଜପତି ସମେତ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ନଭେମ୍ବର ୨ରୁ ଆରମ୍ଭ ହେବ ବର୍ଷା । ୩ ଓ ୪ ତାରିଖରେ ବଢ଼ିପାରେ ବର୍ଷାର ପ୍ରକୋପ । ସମ୍ଭାବ୍ୟ ବିପଦକୁ ନେଇ ତତ୍ପର ରାଜ୍ୟ ସରକାର । ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା ।
ଅଧିକ ଘନୀଭୂତ ହେଉଛି ବାତ୍ୟା ‘ମୁରାସୁ’ । ଆସନ୍ତାକାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ଆକଳନ । ମଙ୍ଗଳବାର ସକାଳୁ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଝିରେ ଲ୍ୟାଣ୍ଡଫଲ୍ କରିପାରେ । ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ଛୁଇଁବା ସମ୍ଭାବନା । ଆନ୍ଧ୍ରରେ ବାତ୍ୟାର ଲ୍ୟାଣ୍ଡଫଲ୍, ଓଡ଼ିଶାରେ ବର୍ଷାର ତାଣ୍ଡବ । ୩ ଓ ୪ ତାରିଖରେ ପାଣିପାଗ ନେଇପାରେ ରୁଦ୍ର ରୂପ ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏହି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ିର ଆଶଙ୍କା । ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ୬୦ କିଲୋମିଟର ଛୁଇଁପାରେ । ବର୍ଷା ବଢ଼ିଲେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା । ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆକ୍ସନ ମୋଡ୍ରେ ରାଜ୍ୟ ସରକାର । ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ପରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ଗଜପତି ଜିଲ୍ଲାରେ ଚିହ୍ନଟ ହୋଇଛି ୧୫୦ଟି ସମ୍ବେଦନଶୀଳ ସ୍ଥାନ । ଆରମ୍ଭ ହୋଇଛି ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା । ସୋମବାର ମଧ୍ୟାହ୍ନ ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ।
ନଭେମ୍ବର ୫ରୁ ବର୍ଷାର ପ୍ରକୋପ କମିବା ଆକଳନ । ହେଲେ ତା’ ପୂର୍ବରୁ ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଅଗ୍ନିପରୀକ୍ଷା । ବିଶେଷକରି ଭୂସ୍ଖଳନପ୍ରବଣ ଅଞ୍ଚଳର ଲୋକଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ।
ସେପଟେ ମତ୍ସ୍ୟଜୀବୀଙ୍କ ପାଇଁ ବି ସତର୍କ ସୂଚନା । ନଭେମ୍ବର ୨ରୁ ୪ ତାରିଖ ଯାଏଁ ସମୁଦ୍ର ମନା । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିବାକୁ ପରାମର୍ଶ । ଆନ୍ଧ୍ରରେ ବାତ୍ୟା ମାଡ଼, ଓଡ଼ିଶାରେ ବର୍ଷାର ଭୟ । ଏବେ ନଜର ବାତ୍ୟାର ଗତି ଓ ପାଣିପାଗର ପରବର୍ତ୍ତୀ ଆକଳନ ଉପରେ ।
ଚର୍ଚ୍ଚା tv











