ଉଦଳା-(ରାଜୀବ କୁମାର ବେହେରା): ଖୁଣ୍ଡା ବ୍ଲକ ଅନ୍ତର୍ଗତ ଭୋଳାଗତିଆ ପଞ୍ଚାୟତର ମୋଚିସାହି ଗ୍ରାମରେ କିଡ୍ନି ରୋଗ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ବର୍ଷ ମଧ୍ୟରେ ପ୍ରାୟ ୧୦ ଜଣ ଗ୍ରାମବାସୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ୬ ଜଣ ସ୍ଥାନୀୟ ବଡ଼ଓଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ବୋଲି ଡାକ୍ତର ଅର୍ଜୁନ ସବ୍ୟସାଚୀ ଦାସ ସୂଚନା ଦେଇଛନ୍ତି।
ଗ୍ରାମଟିରେ ଅଧିକାଂଶ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଅନ୍ଧବିଶ୍ୱାସ ଓ ପାରମ୍ପରିକ ଗୁଣି-ଗାରେଡ଼ି ଉପରେ ନିର୍ଭରଶୀଳତା ଯୋଗୁଁ ଅନେକେ ଡାକ୍ତରୀ ଚିକିତ୍ସା ନେବାରେ ବିଳମ୍ବ କରୁଛନ୍ତି। ଫଳରେ ରୋଗ ଗୁରୁତର ଅବସ୍ଥାକୁ ପହଞ୍ଚୁଥିବା ଦେଖାଯାଉଛି। ମୋଟ ୧୨/୧୫ ଗୋଟି ପରିବାର ଓ ପ୍ରାୟ ଶତାଧିକ ଲୋକସଂଖ୍ୟା ଥିବା ଏହି ଗ୍ରାମର ଅଧିକାଂଶ ଲୋକ ଦିନମଜୁରିଆ ହେବାରୁ ସ୍ୱାସ୍ଥ୍ୟ ସଚେତନତାର ଅଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।
ଚିକିତ୍ସକମାନଙ୍କ ମତାନୁସାରେ ପାନୀୟଜଳର ଗୁଣମାନ, ନିଶାଦ୍ରବ୍ୟ ସେବନ ଓ ଡାକ୍ତରଙ୍କ ପରାମର୍ଶ ବିନା ବିଭିନ୍ନ ଔଷଧ ବ୍ୟବହାର କିଡ୍ନି ରୋଗର ସମ୍ଭାବ୍ୟ କାରଣ ହୋଇପାରେ। ଯଦିଓ ଆସଲ କାରଣ ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ଆବଶ୍ୟକ ବୋଲି ଡାକ୍ତର ଦାସ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀମାନଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ଗ୍ରାମରେ ତୁରନ୍ତ ସ୍ୱାସ୍ଥ୍ୟ ଶିବିର, ପାନୀୟଜଳ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ଅତ୍ୟାବଶ୍ୟକ। ନଚେତ୍ ଆଗାମୀ ଦିନରେ ରୋଗ ପ୍ରକୋପ ବଢିବାର ଆଶଙ୍କା ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ଜୋରଦାର
ମୋଚିସାହିରେ କିଡ୍ନି ରୋଗ ଆତଙ୍କ: ସଚେତନତା ଓ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଆବଶ୍ୟକ
By Charcha News












