BY-SUBHASMITA-DT-21.4.2026
ରାଉରକେଲାରେ ଆଜି ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ସରଳତା ଓ ମାନବିକତାର ଉଦାହରଣ ପୁଣିଥରେ ପ୍ରଦର୍ଶନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପାନପୋଷ ସରକାରୀ କଲେଜ ପାର୍ଶ୍ୱରେ ଅବସ୍ଥିତ ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ହନୁମାନ ବଟିକା ଛକ ନିକଟରେ ପ୍ରୋଟୋକଲ ଭାଙ୍ଗି ସେ ଅଚାନକ ନିଜ ଶୀତତାପ ନିୟନ୍ତ୍ରିତ ଗାଡ଼ିରୁ ଓହ୍ଲାଇଥିଲେ। ପ୍ରାୟ ୪୪ ଡିଗ୍ରିର ପ୍ରଚଣ୍ଡ ତାପମାତ୍ରା ସତ୍ତ୍ୱେ ସେ ସିଧାସଳଖ ଜନସାଧାରଣଙ୍କ ଭିଡ଼ ମଧ୍ୟରେ ପ୍ରବେଶ କରି ସେମାନଙ୍କ ସହ ଆଲୋଚନା କରିଥିଲେ।
ଅସହ୍ୟ ଖରାରେ ତାଙ୍କର ଏହି ଅପ୍ରତ୍ୟାଶିତ ଆଗମନରେ ଲୋକମାନେ ଉତ୍ସାହିତ ହୋଇପଡ଼ିଥିଲେ। ଅନେକ ଲୋକ ତାଙ୍କ ସହ ହାତ ମିଳାଇବା ସହିତ ସେଲ୍ଫି ନେବାର ସୁଯୋଗ ପାଇଥିଲେ। କିଛି ଛୋଟ ଛୁଆଙ୍କୁ ସେ ଚକୋଲେଟ ମଧ୍ୟ ବଣ୍ଟନ କରିଥିଲେ। ଏହି ଦୃଶ୍ୟ ସମଗ୍ର ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି କରିଥିଲା, ଯେଉଁଠାରେ “ଭାରତ ମାତା କି ଜୟ”, “ବନ୍ଦେ ମାତରମ” ଓ “ମହାମହିମ ଜିନ୍ଦାବାଦ” ଧ୍ୱନିରେ ଆକାଶ ଗୁଞ୍ଜିଉଠିଥିଲା। ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଦିନିଆ ଗସ୍ତରେ ରାଉରକେଲା ଆସିଥିଲେ। ସେ ସକାଳ ୧୦ଟା ୨୦ ମିନିଟରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ପରେ ସ୍ୱାଗତ ସମାରୋହ ସ୍ଥଳକୁ ଯାଇଥିଲେ। ସେଠାରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସାନ୍ତାଳୀ, କରମା, ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସମଗ୍ର ପରିବେଶ ଦର୍ଶକମାନଙ୍କ ତାଳି ଓ ଉତ୍ସାହରେ ଗୁଞ୍ଜିଉଠିଥିଲା। ପରେ ରାଷ୍ଟ୍ରପତି ସେହି ଛାତ୍ରଛାତ୍ରୀଙ୍କୁ ଭେଟି ତାଙ୍କ ସହ ଫଟୋ ଉଠାଇଥିଲେ ଏବଂ ସେମାନଙ୍କ ସହ ଆତ୍ମୀୟତାର ସହ ଆଲୋଚନା କରିଥିଲେ। ଏହି ଘଟଣା ରାଉରକେଲାରେ ରାଷ୍ଟ୍ରପତିଙ୍କ ସରଳତା ଓ ଜନସାଧାରଣଙ୍କ ପ୍ରତି ତାଙ୍କର ଆତ୍ମୀୟ ସମ୍ପର୍କର ଏକ ସ୍ମରଣୀୟ ଦୃଷ୍ଟାନ୍ତ ହୋଇ ରହିଯାଇଛି ।
ଚର୍ଚ୍ଚା news












