ଉଦଳା – (ରାଜୀବ କୁମାର ବେହେରା) – ଉଦଳା–ଦୁଗୁଧା–କୁଣ୍ଡାବାଇକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କଲୋଣି ସାହି ନିକଟ ରାସ୍ତାକଡ଼ରୁ ଗୁରୁବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଘଟଣା ସମ୍ବନ୍ଧରେ ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ମହିଳାଙ୍କର କୌଣସି ନିଜ ଆତ୍ମୀୟ ନଥିଲେ। ସେ ନାଗପାଳ ଅଞ୍ଚଳରେ ଅନ୍ୟମାନଙ୍କ ଘରେ ବାସନ ମାଜି ଜୀବିକା ନିର୍ବାହ କରୁଥିଲେ। ଗତକାଲି ନିଜର ଜଣେ ଦୂର ସମ୍ପର୍କୀୟଙ୍କ ଅସୁସ୍ଥତାର ଖବର ପାଇ ସେ ଘରକୁ ଯାଇଥିବା ବେଳେ, ରାତିରେ ଫେରୁଥିବା ସମୟରେ ଘରେ ପହଞ୍ଚି ପାରିନଥିବା ସୂଚନା ମିଳିଛି।
ଆଜି ସକାଳେ ମର୍ନିଙ୍ଗ ୱାକରେ ବାହାରିଥିବା କିଛି ଲୋକ ରାସ୍ତା ପାର୍ଶ୍ୱରେ ଜଣେ ମହିଳା ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି।
ତେବେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ସତ୍ୟ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।












