ଉଦଳା – (ରାଜୀବ କୁମାର ବେହେରା): ପ୍ରଥମାଷ୍ଟମୀ ଦିନରେ ଅଭାବନୀୟ ଘଟଣା!
ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ପରାସବାଡି ଗ୍ରାମରେ ପ୍ରଥମାଷ୍ଟମୀ ଦିନ ଘଟିଛି ଏକ ଅଭାବନୀୟ ଘଟଣା।
ଗ୍ରାମର ପ୍ରମିଳା ମହାପାତ୍ର ନାମକ ଗୃହଲକ୍ଷ୍ମୀ, ସ୍ୱାମୀ କାଁହୁଚରଣ ମହାପାତ୍ରଙ୍କ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ପିନ୍ଧିଥିବା ଶାଢୀରେ ଅକସ୍ମାତ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିବା ପରେ ପ୍ରମିଳା ଭୟଭୀତ ହୋଇ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ, ଫଳରେ ପବନ ପାଇ ଶାଢୀର ନିଆଁ ଆହୁରି ଭୟାବହ ଭାବରେ ଜଳି ଉଠିଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରିଥିଲେ, ହେଲେ ସେତେବେଳେ ତାଙ୍କ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା।
ଗୁରୁତର ଅବସ୍ଥାରେ ପ୍ରମିଳାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସ୍ଥାନୀୟ ପଡ଼ୋଶୀ ଓ ପରିବାର ଲୋକଙ୍କ ସତର୍କତା ଫଳରେ ପ୍ରମିଳାଙ୍କ ଜୀବନ ରକ୍ଷା ହୋଇଛି। ଏହି ଘଟଣା ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ଚୁଲି କିମ୍ବା ଗ୍ୟାସ ରେ ରୋଷେଇ କରୁଥିବା ସମୟରେ ସତର୍କ ରହିବା ଆବଶ୍ୟକ — ଛୋଟ ଅସାବଧାନତା ହେଉପାରେ ମହାବିପଦ!











