ଆ ସରକାର ଗଠନ ପରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନା ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଏବଂ ରକ୍ତପାତର ଖବର ସମସ୍ତଙ୍କୁ ଚକିତ କରିଛି। ରାଜନୈତିକ ମହଲରେ ନୂତନ ନେତୃତ୍ୱ ବିଷୟରେ ଆଲୋଚନା ହେଉଥିବା ବେଳେ, ସାଧାରଣ ଲୋକମାନେ ଆତଙ୍କରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।
BY-SUBHASMITA-10.5.2026
ନୂଆ ସରକାର ଗଠନ ହେବା ପରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନା ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ହତ୍ୟା, ଭଙ୍ଗାରୁଜା ଏବଂ ପୋଡ଼ାଜଳା ଭଳି ଘଟଣା ସାମ୍ନାକୁ ଆସୁଛି। ରାଜନୈତିକ ମହଲରେ ନୂଆ ନେତୃତ୍ୱକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସାଧାରଣ ଲୋକ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ଯାପନ କରୁଛନ୍ତି। ଏବେ ଟିଏମସି ନେତା ସହଦେବ ବାଗଙ୍କ ହତ୍ୟା ପରେ ରାଜନୈତିକ ପରିବେଶ ପୁଣି ଥରେ ଉତ୍ତପ୍ତ ହୋଇଯାଇଛି। ଟିଏମସି ନେତା ସହଦେବ ବାଗଙ୍କ ମୃତଦେହ ଉଦ୍ଧାର ହୁଗଳି ଜିଲ୍ଲାର ନକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୋଟା ଗାଁରୁ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ସହଦେବ ବାଗଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ରାତିରୁ ସେ ନିଖୋଜ ଥିବା ବେଳେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ। ରବିବାର ସକାଳେ ପାର୍ଟି ଅଫିସ ପଛପଟ ଏକ ନାଳରୁ ତାଙ୍କ ମୃତଦେହ ମିଳିଥିଲା। ମୃତଦେହରେ ଗୁରୁତର ଆଘାତ ଚିହ୍ନ ଥିବାରୁ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୁହଁ ଓ ନାକରେ ଗଭୀର ଆଘାତ ମିଳିଥିବା ବେଳେ ପୁଲିସ ଘଟଣାସ୍ଥଳରୁ ଏକ ଗଦା ଜବତ କରିଛି। ଏହାକୁ ହତ୍ୟା ଅସ୍ତ୍ର ବୋଲି ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପରିବାରର ରାଜନୈତିକ ହତ୍ୟା ଅଭିଯୋଗ ମୃତ ସହଦେବ ବାଗଙ୍କ ସ୍ତ୍ରୀ ଛେନା ବାଗ ନକୁଣ୍ଡା ପଞ୍ଚାୟତର ଟିଏମସି ସଦସ୍ୟ ଅଟନ୍ତି। ସେ ପୁଲିସକୁ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ତାଙ୍କ ସ୍ୱାମୀଙ୍କୁ ନିରନ୍ତର ହତ୍ୟା ଧମକ ମିଳୁଥିଲା। ପରିବାର ପକ୍ଷରୁ ଏହାକୁ ରାଜନୈତିକ ହତ୍ୟା ବୋଲି କୁହାଯାଇଥିବା ବେଳେ ଘଟଣା ପଛରେ ବିଜେପି ସମର୍ଥକଙ୍କ ହାତ ଥିବା ଅଭିଯୋଗ ଆଣାଯାଇଛି। ଖେଜୁରିରେ ଭଙ୍ଗାରୁଜା ଓ ପୋଡ଼ାଜଳା ହିଂସାର ନିଆଁ କେବଳ ହୁଗଳିରେ ସୀମିତ ରହିନାହିଁ। ପୂର୍ବ ମେଦିନୀପୁର ଜିଲ୍ଲାର ଖେଜୁରି ଅଞ୍ଚଳରେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ନବଗଠିତ ସରକାରଙ୍କ ଶପଥ ଗ୍ରହଣ ପରେ କିଛି ଘଣ୍ଟା ମଧ୍ୟରେ ହିଜଲି ସରିଫ ଗାଁରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟିଥିବା ସୂଚନା ମିଳିଛି। ଶନିବାର ରାତିରେ କିଛି ଦୁର୍ବୃତ୍ତ ବଜାର ଉପରେ ଆକ୍ରମଣ କରି ଅନେକ ଦୋକାନକୁ ଜାଳିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନେକ ବ୍ୟବସାୟୀଙ୍କ ଜୀବିକା ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ ହୋଇଯାଇଛି। ପୁଲିସ ସିସିଟିଭି ଫୁଟେଜ୍ ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ତଦନ୍ତ ଜାରି ରଖିଛି ।
ଚର୍ଚ୍ଚା news












