BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡା :କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ ଅଂଚଳରେ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପର ବାତିଲ ଦାବିରେ ଓ ତା’କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ପୋଲିସର ଦମନ ବିରୁଦ୍ଧରେ ତଥା ଅନ୍ୟାନ୍ୟ ଦାବି ନେଇ ଆଜି 4ଟି ବାମପନ୍ଥୀ ଦଳଙ୍କ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଦିବସର ପାଳିତ ହୋଇଯାଇଛି । ଏସ୍ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ) ରେଡ଼ଷ୍ଟାର, ସିପିଆଇ(ଏମଏଲ) ଓ ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପକ୍ଷରୁ ଦିଆଯାଇଥିବା ଏହି ପ୍ରତିବାଦ ଦିବସ ଡାକରା ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଚାଷୀ, ମୂଲିଆ ଓ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପାର୍ଟି ପକ୍ଷରୁ ସ୍ଥାନୀୟ ଜିଆଇଇଟି ୟୁନିଭେର୍ସିଟି ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ସରକାର ଓ କମ୍ପାନୀ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସିର ଜିଲ୍ଲା କମିଟି ସଦସ୍ୟ ଅର୍ଜୁନ ଶବର, ବୁଦ୍ଧଦେବ ଶବର, ସରସ୍ଵତୀ ଶବର ଓ ରାଜୁ ଜେନାଙ୍କ ନେତୣତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକରୁ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।
ବିକ୍ଷୋଭରେ ବକ୍ତାମାନେ ନିଜର ବକ୍ତବ୍ୟ ରଖି ରାଜ୍ୟରେ ମୋହନ ମାଝୀଙ୍କ ନେତୣତ୍ଵରେ ବିଜେପିର ଡବଲ ଇଂଜିନ ସରକାର ଦେଶୀ ବିଦେଶୀ ବୣହତ୍ତ କର୍ପୋରେଟମାନଙ୍କ ଏଜେଣ୍ଟ ସାଜି ଜମି, ଜଙ୍ଗଲ ଓ ପାଣିକୁ ସେମାନଙ୍କୁ ଟେକିଦେବାରେ ଲାଗିଛି ବୋଲି କହିଥିଲେ । କମ୍ପାନୀ କବଳରୁ ନିଜର ଜମି, ଜଙ୍ଗଲ ଓ ପାହାଡକୁ ରକ୍ଷା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ବିଶେଷ କରି ଆଦିବାସୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର୍ଷ କରୁଛନ୍ତି । କିନ୍ତୁ ଦୁଃଖର କଥା ସରକାର କମ୍ପାନୀର ବୋଲକରା ହୋଇ ଲୋକଙ୍କ ଉପରେ ଆକ୍ରମଣ କରୁଛି । ରାୟଗଡାର ସିଜିମାଳି, ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଓ କେନ୍ଦୁଝର ଜିଲ୍ଲାର ପାଟଣା ସମେତ ଅନୁସୂଚୀତ ଅଞ୍ଚଳରେ ଥିବା ପେସା ଆଇନ, – 1996, ଜଙ୍ଗଲ ଅଧିକାର ଆଇନ – 2006 ତଥା ନକରି ସାଧାରଣ ଲୋକ ବିଶେଷ କରି ଆଦିବାସୀମାନଙ୍କ ସାମ୍ଵିଧାନିକ ଓ ଆଇନଗଦ ଅଧିକାରକୁ ଛଡେଇ ନେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।ଗୁଣପୁର ସହର ଚାରିପାଖରେ ଥିବା ଆଦିବାସୀମାନେ ପୁରୁଷ ପୁରୁଷ ଧରି ସରକାରୀ ଓ ଜଙ୍ଗଲ ଜମିକୁ ଭୋଗ କରି ଆସୁଥିବା ବେଳେ ପ୍ରଶାସନ ଓ ପୋଲିସ ସହାୟତାରେ କିଛି ପ୍ରଭାବଶାଳୀ ଲୋକ ତାକୁ ହଡପ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା ।ଶେଷରେ ଆଠ ଦଫା ଦାଵି ସମ୍ଵଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରେରଣ କରାଯାଇଥିଲା ।
ଚର୍ଚ୍ଚା news












