ରାହାମା :: କଲେଜ ଛକରେ ଥିବା ଆଇ.ଟି.ସି.ଟି ସାଇନ୍ସ ପଏଣ୍ଟ କୋଚିଙ୍ଗ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଚଳିତ ବର୍ଷ ବାର୍ଷିକ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନୁଷ୍ଠାନର ଓ ଏହି ଅଞ୍ଚଳର ଗୌରବ ବଢାଇଛନ୍ତି । ମାଟ୍ରିକ ପରୀକ୍ଷାରେ ଅଳ୍ପ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନେ ମଧ୍ୟ ଏହି ଅନୁଷ୍ଠାନର ଉନ୍ନତ ମାନର ଶିକ୍ଷାଦାନ ପଦ୍ଧତି ଓ ସର୍ବୋପରି ଏହାର ପ୍ରତିଷ୍ଠାତା ରାକେଶ କୁମାର ବାରିକଙ୍କ ନିଷ୍ଠାପର ଉଦ୍ୟମ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଯୋଗୁ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ଏଭଳି ସଫଳତା ହାସଲ କରିବା ସମ୍ଭବ ହୋଇ ପାରିଛି । ଏବର୍ଷ ଏହି ଅନୁଷ୍ଠାନ ରୁ ସମୁଦାୟ ୪୨ ଜଣ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସର୍ବୋଚ୍ଚ ମାର୍କ ରଖି ପ୍ରଥମ ଶ୍ରେଣୀରେ ୩୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ +୨ କଳା ପରୀକ୍ଷାରେ ୨୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନର ସୁନାମ ଅତୁଟ ରଖିଛନ୍ତି । ବିଜ୍ଞାନରେ ଚିନ୍ମୟୀ ବାରିକ, ସ୍ଵପ୍ନା ତରାଇ, ରାହୁଲ୍ ସ୍ୱାଇଁ ଏବଂ କଳାରେ ରାଜଶ୍ରୀ ବେହେରା, ସୋନାଲି ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ସର୍ବାଧିକ ମାର୍କ ରଖିଛନ୍ତି । ଏହି ଉପଲକ୍ଷେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ରବିବାର ଦିନ ଅନୁଷ୍ଠାନରେ କୃତୀ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଉତ୍ସବରେ ଛାତ୍ର ଛାତ୍ରୀଙ୍କ ସମେତ ଅନୁଷ୍ଠାନର ସବୁ ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତଙ୍କୁ ଉପଢୌକନ, ଫୁଲତୋଡା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଷ୍ଠାତା ରାକେଶ କୁମାର ବାରିକ୍ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଡକ୍ଟର କ୍ଷୀରୋଦ କୁମାର ଓଝା, ପ୍ରଦ୍ୟୁମ୍ନ କିଶୋର ମିଶ୍ର, ସନ୍ତୋଷ ଖୁଣ୍ଟିଆ, ଲାବଣ୍ୟ ସାହୁ , ଜଗନ୍ନାଥ ସେଠୀ ପ୍ରମୁଖ ନିଜ ଉଦବୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦୃଢ଼ ନିଷ୍ଠା ଓ କଠିନ ପରିଶ୍ରମ ସହ ଆଗକୁ ଅଧ୍ୟୟନ ଜାରି ରଖିବାକୁ କହିଥିଲେ । ପ୍ରକାଶ ଥାଉ କି ଏହି ଅନୁଷ୍ଠାନ ସମଗ୍ର ଅଞ୍ଚଳରେ +୨ ବିଜ୍ଞାନ , କଳା ଓ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଆଗାମୀ ଦିନରେ କଠିନ ପରିଶ୍ରମ ଓ ଶୃଙ୍ଖଳା ରଖି ଶ୍ରେଷ୍ଠତା ପ୍ରତିପାଦନ କରିବା ସହ ସମାଜ ସେବା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ଏକ ଗଣ-ଶପଥ ପାଠ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସଭା ସାଙ୍ଗ କରିଥିଲେ ।
ଚର୍ଚ୍ଚା news












