କଟକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ଯ୍ୟାଳୟରେ ଘଟିଥିବା ପ୍ରାୟ ୫୧.୫୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ କଟକ ଡିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ସୁବାଶ ଚନ୍ଦ୍ର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସେ ବାରଙ୍ଗ ଅଞ୍ଚଳର ନରାଜ ସ୍ଥିତ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଥିବା ସହ ଡିଇଓ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନ୍ରେ ଦାୟିତ୍ୱରେ ଥିଲେ। ଅଭିଯୋଗ ଅନୁସାରେ, ୩୧ ଡିସେମ୍ବର ୨୦୧୮ ଠାରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ ସେ ନିଜ କାର୍ଯ୍ୟକାଳ ସମୟରେ ମାନବ ସମ୍ପଦ ପରିଚାଳନା ପ୍ରଣାଳୀ (HRMS) ଏବଂ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ରେ ଅନିୟମିତତା କରି ସରକାରୀ ଧନର ବଡ଼ ପରିମାଣର ହେରଫେର କରିଥିବା ଭିଜିଲାନ୍ସ ତଦନ୍ତରୁ ସାମ୍ନାକୁ ଆସିଛି। ତଦନ୍ତରେ ଜଣାପଡ଼ିଛି ଯେ, ସୁବାଶ ସାହୁ ଡ୍ରୟିଂ ଆଣ୍ଡ ଡିସବର୍ସିଂ ଅଫିସର (DDO)ଙ୍କ ଲଗଇନ୍ ସୂଚନାକୁ ବେଆଇନ ଭାବେ ବ୍ୟବହାର କରି HRMS ପୋର୍ଟାଲରେ ଚାରିଜଣ ବାହାର ଲୋକଙ୍କ ନାମକୁ ସରକାରୀ କର୍ମଚାରୀ ଭାବେ ଅନ୍ତର୍ଭୁକ୍ତ କରିଥିଲେ। ପରେ ସେମାନଙ୍କ ନାମରେ ଦରମା ପ୍ରସ୍ତୁତ କରାଯାଇ ତାଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଟଙ୍କା ସେହି ବ୍ୟକ୍ତିମାନଙ୍କ ଖାତାକୁ ଯାଇଥିବା ଦିନେ ପୁଣି ସମସ୍ତ ଅର୍ଥ ସୁବାଶ ସାହୁଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେଉଥିବା ତଦନ୍ତରୁ ପ୍ରକାଶ ପାଇଛି। ଏହି ଅର୍ଥ ଆତ୍ମସାତ ମାମଲାରେ କଟକ ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପି.ଏସ୍. କେସ୍ ନମ୍ବର ୧୮/୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ ଆଇନ-୨୦୧୮ ଅଧୀନରେ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ସୁବାଶ ଚନ୍ଦ୍ର ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି। ଏହି ଘଟଣା କଟକ ଶିକ୍ଷା ବିଭାଗରେ ଚଞ୍ଚଳତା ସୃଷ୍ଟି କରିଥିବା ସହ ସରକାରୀ ବ୍ୟବସ୍ଥାରେ ଡିଜିଟାଲ୍ ଠକେଇକୁ ନେଇ ଗୁରୁତର ପ୍ରଶ୍ନ ଉଠାଇ ଛନ୍ତି |
ଚର୍ଚ୍ଚା NEWS












