BY-ରାଜୀବ କୁମାର ବେହେରା
ଉଦଳା, :: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଦାଢ଼ିଆସାହିରେ ଶୁକ୍ରବାର ଏକ ଦୁଃଖଦ ଅଘଟଣ ଘଟିଛି। ଘର ନିକଟସ୍ଥ ଖାଲରେ ଲୁଗା ଧୋଇବା ଓ ଗାଧୋଇବା ବେଳେ ପାଦ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ରୁହ୍ୟା ସିଂଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ରୁହ୍ୟା ସିଂ ଘରୁ ଲୁଗା ଧୋଇବା ଓ ଗାଧୋଇବା ପାଇଁ ଘର ନିକଟସ୍ଥ ଖାଲକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଖାଲ ପାଣିରେ ତାଙ୍କୁ ଭାସୁଥିବା ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା।
ଖବର ପାଇ କୁଣ୍ଡାବାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଉଦଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ପୋଲିସ ଏହି ଘଟଣାରେ ୫୬/୨୬ ନମ୍ବର ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲଗାଣ ବର୍ଷା ଯୋଗୁଁ ଖାଲରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ମୃତକଙ୍କ ଗରିବ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି |
ଚର୍ଚ୍ଚା NEWS












