ଦୁଇ ବର୍ଷର ନିର୍ବାସନ ପରେ ପୁଣି ବାଂଲାଦେଶ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତରେ ରହୁଥିବା ହସିନା ଚଳିତ ବର୍ଷ ଶେଷ ସୁଦ୍ଧା ନିଜ ଦେଶକୁ ଫେରିବା ନେଇ ସଙ୍କଳ୍ପ ପ୍ରକାଶ କରିଛନ୍ତି ।
ଦୁଇ ବର୍ଷର ନିର୍ବାସନ ପରେ ପୁଣି ବାଂଲାଦେଶ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତରେ ରହୁଥିବା ହସିନା ଚଳିତ ବର୍ଷ ଶେଷ ସୁଦ୍ଧା ନିଜ ଦେଶକୁ ଫେରିବା ନେଇ ସଙ୍କଳ୍ପ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଫେରିବା ରାସ୍ତା କେତେ ସହଜ ହେବ, ତାହା ଏବେ ବଡ଼ ପ୍ରଶ୍ନ । ୨୦୨୪ ଅଗଷ୍ଟ ୫ ତାରିଖରେ ଭୟଙ୍କର ଜନଆନ୍ଦୋଳନ ପରେ ହସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତ ଆସିଥିଲେ । ତାଙ୍କୁ ମାତ୍ର କିଛି ସମୟ ମଧ୍ୟରେ ଢାକା ଛାଡ଼ିବାକୁ ପଡ଼ିଥିଲା । ଏହା ପରେ ଆୱାମୀ ଲିଗ୍ର ରାଜନୈତିକ ଭବିଷ୍ୟତ ମଧ୍ୟ ସଙ୍କଟରେ ପଡ଼ିଥିଲା । ଶେଖ ହସିନାଙ୍କ ଫେରିବା କେବଳ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ଆୱାମୀ ଲିଗ୍ ଏବଂ ବାଂଲାଦେଶର ରାଜନୈତିକ ଦିଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ପିତା ଶେଖ ମୁଜିବୁର ରହମାନ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ନେତା ଥିଲେ ।
ହସିନା କହିଛନ୍ତି, ସେ ଜାଣନ୍ତି ଫେରିଲେ ଗିରଫ ହୋଇପାରନ୍ତି କିମ୍ବା ଜୀବନ ପ୍ରତି ବିପଦ ଆସିପାରେ । ତଥାପି ସେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି, କାରଣ ତାଙ୍କ ମତରେ ଲୋକଙ୍କ ସହ ତାଙ୍କର ସମ୍ପର୍କ ଏବେ ବି ଅଛି । ଅନ୍ୟପଟେ, ହସିନାଙ୍କ ବିରୋଧରେ ବାଂଲାଦେଶରେ ଗୁରୁତର ଅଭିଯୋଗ ରହିଛି । ୨୦୨୪ର ଆନ୍ଦୋଳନ ସମୟରେ ହିଂସା ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ହୋଇଛି । ସେ ଫେରିଲେ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିପାରେ ।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ହସିନାଙ୍କ ଫେରିବା ଆୱାମୀ ଲିଗ୍କୁ ପୁଣି ସକ୍ରିୟ କରିପାରେ । କିନ୍ତୁ ତାଙ୍କ ପାଇଁ ଏହା ସହଜ ଲଢ଼େଇ ହେବ ନାହିଁ । ସମର୍ଥନ, ବିରୋଧ ଓ ଆଇନଗତ ଚ୍ୟାଲେଞ୍ଜ ମଧ୍ୟରେ ହସିନାଙ୍କ ଘରବାହୁଡ଼ା ବାଂଲାଦେଶ ରାଜନୀତିରେ ନୂଆ ମୋଡ଼ ଆଣିପାରେ ।
ଚର୍ଚ୍ଚା news











