ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ମଙ୍ଗଳବାର ଆନ୍ଦୋଳନ ୧୮ଶ ଦିନରେ ପହଞ୍ଚିଥିବା ବେଳେ ଏହାକୁ ସମର୍ଥନ କରି ବିଜେପି ପକ୍ଷରୁ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସେପଟେ ଏବିଭିପି ପକ୍ଷରୁ ପୁରୁଣା ବିଧାନସଭାରୁ ନୂଆ ବିଧାନସଭା ପର୍ଯ୍ୟନ୍ତ ‘ବିଧାନସଭା ମାର୍ଚ୍ଚ’ ଆୟୋଜନ ପାଇଁ ପ୍ରସ୍ତୁତି ହୋଇଛି।
ଜୁଲାଇ ୨୫ରୁ ଆନ୍ଦୋଳନରତ ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଜେପିଏସସି ଓ ଜେଏସଏସସିରେ ସଂସ୍କାର, ବିବାଦୀୟ ପରୀକ୍ଷା ବାତିଲ ଏବଂ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଏଥିପାଇଁ ସିବିଆଇ କିମ୍ବା ରାଜ୍ୟ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି ମଧ୍ୟ ରହିଛି।
ଆନ୍ଦୋଳନରେ ୬ ଜଣ ଅନିର୍ଦ୍ଦିଷ୍ଟକାଳୀନ ଆମରଣ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ଓ ଜେପିଏସସି-ଜେଏସଏସସି ମଞ୍ଚ ମଧ୍ୟରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ମଧ୍ୟ କୌଣସି ସମାଧାନରେ ପହଞ୍ଚିପାରିନାହିଁ।
ସୋମବାର ବିଧାନସଭା ଅଭିମୁଖେ ଯାଉଥିବା ପ୍ରତିବାଦକାରୀଙ୍କୁ ଅଟକାଇବା ପାଇଁ ପୋଲିସ ଲାଠିଚାର୍ଜ, ୱାଟର କାନନ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏଥିରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ୧୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ରାଞ୍ଚି ପୋଲିସ କହିଛି।
ଅନ୍ୟପଟେ, ନିଯୁକ୍ତି ପ୍ରକ୍ରିୟାରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଇଡି କରୁଥିବା ବେଳେ ଝାଡ଼ଖଣ୍ଡ ସିଆଇଡି ପୂର୍ବତନ ଜେପିଏସସି ଅଧ୍ୟକ୍ଷ ଏଲ୍. ଖିଆଙ୍ଗତେଙ୍କୁ ଗିରଫ କରିଛି। ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଲୋଚନା ଓ ବିଶ୍ୱାସ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଛାତ୍ରମାନଙ୍କୁ ଅପିଲ୍ କରିଛନ୍ତି। ସେହିପରି ବିଜେପି ରାଜନୈତିକ ଫାଇଦା ପାଇଁ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବା ବେଳେ ବିଜେପି ଓ ଜେ.ପି. ନଡ୍ଡା ତାଙ୍କୁ ସମାଲୋଚନା କରିଛନ୍ତି।
ସରକାରଙ୍କ ଅନୁଯାୟୀ, ୧୪ଶ ଜେପିଏସସି ପରୀକ୍ଷା ଏବଂ ୨୦୨୩ ଓ ୨୦୨୫ର ବ୍ୟାକଲଗ୍ ପରୀକ୍ଷା ବାତିଲ କରିବାକୁ ସମ୍ମତି ଦିଆଯାଇଛି। ତେବେ ଜେଏସଏସସି-ସିଜିଏଲ୍ ପରୀକ୍ଷା କୋର୍ଟଙ୍କ ପ୍ରତ୍ୟକ୍ଷ ନଜରଦାରୀରେ ହୋଇଥିବାରୁ ଏହାକୁ ବାତିଲ କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି।
ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନର ପ୍ରସ୍ତାବ ଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସିବିଆଇ ତଦନ୍ତ ଦାବିରେ ଅଡ଼ି ରହିଛନ୍ତି। ଫଳରେ ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାକୁ ନେଇ ଆନ୍ଦୋଳନ ଓ ରାଜନୈତିକ ତାତି ଆହୁରି ବଢ଼ିବାରେ ଲାଗିଛି ।
ଚର୍ଚ୍ଚା tv











