ତୁର୍କୀରେ ଦଶନ୍ଧି ଧରି ଚାଲିଥିବା କୁର୍ଦ୍ଦିସ୍ ବିଦ୍ରୋହ ଓ ସରକାର ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଅନ୍ତ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସର୍ତ୍ତମୂଳକ କ୍ଷମା ଏବଂ ମୁଖ୍ୟଧାରାକୁ ଫେରିବା ସୁଯୋଗ ଦେବା ସମ୍ପର୍କିତ ଏକ ବିଲ୍କୁ ତୁର୍କୀ ସଂସଦ ଅନୁମୋଦନ କରିଛି ।
ତୁର୍କୀରେ ଦଶନ୍ଧି ଧରି ଚାଲିଥିବା କୁର୍ଦ୍ଦିସ୍ ବିଦ୍ରୋହ ଓ ସରକାର ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଅନ୍ତ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସର୍ତ୍ତମୂଳକ କ୍ଷମା ଏବଂ ମୁଖ୍ୟଧାରାକୁ ଫେରିବା ସୁଯୋଗ ଦେବା ସମ୍ପର୍କିତ ଏକ ବିଲ୍କୁ ତୁର୍କୀ ସଂସଦ ଅନୁମୋଦନ କରିଛି । ବିଲ୍ ସପକ୍ଷରେ ୪୬୮ଟି ଭୋଟ୍ ପଡ଼ିଥିବା ବେଳେ ୮୮ଟି ଭୋଟ୍ ବିରୋଧରେ ପଡ଼ିଛି ।
ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୁର୍କୀ ସରକାର ଓ କୁର୍ଦ୍ଦିସ୍ ବିଦ୍ରୋହୀ ସଂଗଠନ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ବା ପିକେକେ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା । ବିଲ୍ ଅନୁସାରେ ପିକେକେକୁ ଅସ୍ତ୍ର ଛାଡ଼ିବା ସହ ସଂଗଠନକୁ ସ୍ଥାୟୀ ଭାବେ ଭାଙ୍ଗିବାକୁ ପଡ଼ିବ । ଏହା ବଦଳରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ବିଦ୍ରୋହୀମାନଙ୍କୁ ଆଇନଗତ ରିହାତି ମିଳିପାରିବ ।
ନୂଆ ଆଇନ ଅନୁଯାୟୀ, ଗୁରୁତର ଅପରାଧକୁ ଛାଡ଼ି ଅନ୍ୟ କିଛି ମାମଲାର ତଦନ୍ତକୁ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ । ଏହି ସମୟ ମଧ୍ୟରେ ଯଦି ସମ୍ପୃକ୍ତ ବ୍ୟକ୍ତି କୌଣସି ନୂଆ ଅପରାଧ ନକରନ୍ତି, ତେବେ କିଛି ମାମଲା ପ୍ରତ୍ୟାହାର କରାଯିବ । ଏହା ଦ୍ୱାରା ଅସ୍ତ୍ର ଛାଡ଼ୁଥିବା କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଫେରିବାର ସୁଯୋଗ ମିଳିବ ।
ତେବେ ସମସ୍ତ ବିଦ୍ରୋହୀ ଏହି ସୁବିଧା ପାଇବେ ନାହିଁ । ଯୋଜନାବଦ୍ଧ ହତ୍ୟା ଭଳି ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ଏବଂ ୨୦୦୫ ପୂର୍ବରୁ ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଏହି ଆଇନରୁ ବାଦ୍ ଦିଆଯାଇଛି। ପିକେକେର ଶୀର୍ଷ ନେତା ଅବଦୁଲ୍ଲା ଓକାଲାନ ମଧ୍ୟ ଏହି ରିହାତିରୁ ବାଦ୍ ପଡ଼ିଛନ୍ତି । ଏହି ପଦକ୍ଷେପ ପଛରେ ଓକାଲାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜେଲ୍ରେ ଥିବା ଓକାଲାନଙ୍କ ଆହ୍ୱାନ ପରେ ପିକେକେ ସଶସ୍ତ୍ର ଅଭିଯାନ ବନ୍ଦ କରିବା ନେଇ ଘୋଷଣା କରିଥିବା କୁହାଯାଉଛି । ତେବେ ପିକେକେ ପକ୍ଷରୁ ଓକାଲାନଙ୍କୁ ମୁକ୍ତ କରାନଗଲେ ନିରସ୍ତ୍ରୀକରଣ ପ୍ରକ୍ରିୟା ଆଗକୁ ନେବା କଷ୍ଟକର ବୋଲି ସଙ୍କେତ ମିଳିଛି
ଅନ୍ୟପଟେ ଏହି ବିଲ୍କୁ ନେଇ ତୁର୍କୀରେ ରାଜନୈତିକ ମତଭେଦ ମଧ୍ୟ ରହିଛି। ବିରୋଧୀମାନେ ଏହାକୁ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ଙ୍କ ରାଜନୈତିକ ସ୍ୱାର୍ଥ ସହ ଯୋଡ଼ିଛନ୍ତି । ଅନ୍ୟପଟେ କୁର୍ଦ୍ଦିସ୍ ସମର୍ଥକମାନେ ଏହାକୁ ତୁର୍କୀରେ ଶାନ୍ତି ପ୍ରତିଷ୍ଠା ଓ ଗଣତନ୍ତ୍ରକୁ ସୁଦୃଢ଼ କରିବାର ଐତିହାସିକ ସୁଯୋଗ ବୋଲି କହିଛନ୍ତି । ଏହି ବିଲ୍ କାର୍ଯ୍ୟକାରୀ ହେଲେ ଅସ୍ତ୍ର ଛାଡ଼ି ମୁଖ୍ୟଧାରାକୁ ଫେରୁଥିବା କୁର୍ଦ୍ଦିସ୍ ବିଦ୍ରୋହୀଙ୍କ ପାଇଁ ନୂଆ ରାସ୍ତା ଖୋଲିପାରେ । ତେବେ ପିକେକେ ପ୍ରକୃତରେ ନିରସ୍ତ୍ରୀକରଣ କରିବ କି ନାହିଁ ଏବଂ ସରକାର ଓ ବିଦ୍ରୋହୀଙ୍କ ମଧ୍ୟରେ ବିଶ୍ୱାସ କେତେ ଦୃଢ଼ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ଚର୍ଚ୍ଚା news











