ଚର୍ଚ୍ଚା TV
କର୍ତ୍ତବ୍ୟରେ ଅବହେଳା: ଉପଜିଲ୍ଲାପାଳ ନିଲମ୍ବିତଉଦଳା ଉପଜିଲ୍ଲାପାଳ ନିଲମ୍ବିତଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ବାରିପଦା ପିଏ, ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଣୟ ରଞ୍ଜନ ବେହେରାଙ୍କୁ ଉଦଳା ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।ସାଧାରଣ ପ୍ରଶାସନ ଓ ଲୋକଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଆଦେଶ ଜାରି କରାଯାଇଛି। ନୂତନ ଦାୟିତ୍ୱ ସହିତ ଶ୍ରୀ ବେହେରା ବାରିପଦା ପିଏ, ଆଇଟିଡିଏର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଚୋରା ବାଲି ଚାଲାଣକୁ ନେଇ ଏକ ଘଟଣାରେ ଖଣି ବିଭାଗର ଜଣେ ଅଧିକାରୀଙ୍କୁ ଥାନାରେ ଅଟକ ରଖିବାକୁ ନେଇ ବିବାଦ ଦେଖାଦେଇଥିଲା। କିଛି ସମୟ ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଅଭିଯୋଗ ଅନୁଯାୟୀ, ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଦଳା ପୁଲିସ ଖଣି ବିଭାଗର ଅଧିକାରୀଙ୍କୁ ଥାନାରେ ଅଟକ ରଖିଥିଲା। ଘଟଣା ପରେ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
By Charcha News











