ଅନେକ ଗାଁର ଘରେ ଘରେ ଆଣ୍ଠୁଏ ପାଣି। ରୋଷେଇ ଘରଠାରୁ ଶୋଇବା ଘର, ସବୁଠି ବନ୍ୟାଜଳ । ଏଭଳି ସ୍ଥିତିରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ ପରିବାର । ବିଶେଷକରି ଗରିବ ପରିବାରଙ୍କ ଦୁର୍ଦ୍ଦଶା ବଢ଼ିଛି ।
ବର୍ଷା ପରେ ବନ୍ୟା ଉତ୍ତର ଓଡ଼ିଶାରେ ଲୋକଙ୍କ ଦୁର୍ଦ୍ଦଶାକୁ ଦୁଇଗୁଣିତ କରିଛି । ଯାଜପୁର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବି ବନ୍ୟା ପାଣି ଜମି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକେ ଦୈନନ୍ଦିନ ଜୀବନ ସହ ସଂଘର୍ଷ କରୁଛନ୍ତି । ଯାଜପୁରରେ ସରୁନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ହେକ୍ଟର ହେକ୍ଟର ଚାଷଜମିରେ ଏବେ ବି ଲହଡ଼ି ଖେଳୁଛି ବନ୍ୟା ପାଣି । ଚାଷୀଙ୍କ ଆଖି ଆଗରେ ଉଜୁଡ଼ି ଯାଇଛି ଫସଲ। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ହେବା ପରେ ଗାଁ ଭିତରକୁ ପାଣି ପଶି ସ୍ଥିତିକୁ ଅଧିକ ସଙ୍ଗିନ କରିଛି ।
ଅନେକ ଗାଁର ଘରେ ଘରେ ଆଣ୍ଠୁଏ ପାଣି। ରୋଷେଇ ଘରଠାରୁ ଶୋଇବା ଘର, ସବୁଠି ବନ୍ୟାଜଳ । ଏଭଳି ସ୍ଥିତିରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ ପରିବାର । ବିଶେଷକରି ଗରିବ ପରିବାରଙ୍କ ଦୁର୍ଦ୍ଦଶା ବଢ଼ିଛି । ଖାଦ୍ୟ ପାଇଁ ଲୋକେ ଅସହାୟ ହୋଇପଡ଼ିଥିବା ବେଳେ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ନଷ୍ଟ ହୋଇଛି । ଅନେକଙ୍କ ମୁଣ୍ଡ ଉପରୁ ଛାତ ମଧ୍ୟ ଚାଲିଯାଇଛି । ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଚାଷଜମି ଜଳମଗ୍ନ ହୋଇଥିବାରୁ ଆଗାମୀ ଦିନରେ ଚାଷବାସ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଯାଜପୁର-ଭଦ୍ରକ ସୀମାବର୍ତ୍ତୀ ବୋଡ଼କ ନିକଟରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ରହିଛି । ପୁଣି ଗାଁ ଭିତରକୁ ପାଣି ପଶିବା ଆଶଙ୍କାରେ ଧାମନଗର ବ୍ଲକ୍ ଅନ୍ତର୍ଗତ ପ୍ରଧାନୀ ପଞ୍ଚାୟତର ରାମରାକୂଳ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ନଦୀବନ୍ଧ ମରାମତିରେ ଲାଗିପଡ଼ିଛନ୍ତି । ପ୍ରଶାସନିକ ସହାୟତାକୁ ଅପେକ୍ଷା ନକରି ନିଜ ସୁରକ୍ଷା ପାଇଁ ନିଜେ ବନ୍ଧ ମରାମତି କରୁଛନ୍ତି ଗ୍ରାମବାସୀ । ସେପଟେ ବାଲେଶ୍ୱର ଭୋଗରାଇରେ ବି ସ୍ଥିତି ଜଟିଳ। ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଛାଡ଼ିବାର ଏକ ସପ୍ତାହରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏବେ ବି ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। କୁଳିଦା, କୁସୁଟି, ମହାଦିଆ ସମେତ ୫ରୁ ଅଧିକ ଗାଁରେ ରାସ୍ତାଘାଟ ଓ ଜନବସତି ଉପରେ ବନ୍ୟାଜଳ ଲହଡ଼ି ମାରୁଛି ।
ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବାଟ ନଥିବାରୁ ଦୀର୍ଘଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। ଗାଁ ରାସ୍ତାରେ ଏବେ ବି ଡଙ୍ଗା ଚାଲୁଛି । ଘରୁ ବାହାରକୁ ଯିବା ପାଇଁ ଲୋକଙ୍କୁ ଡଙ୍ଗାର ସାହାରା ନେବାକୁ ପଡ଼ୁଛି । ବନ୍ୟାରେ ଚାଷଜମି ନଷ୍ଟ ହୋଇଥିବାରୁ ଚାଷୀ ଓ ଦିନମଜୁରିଆଙ୍କ ଜୀବିକା ପ୍ରଭାବିତ ହୋଇଛି । ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ପରିବେଶ ମଧ୍ୟ ଦୂଷିତ ହେବାରେ ଲାଗିଛି । ପିଲାଙ୍କ ପାଠପଢ଼ା ଠପ୍ ହୋଇଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହେବା ଓ ସରକାରୀ ସହାୟତା ପହଞ୍ଚିବାରେ ବିଳମ୍ବ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି । ବନ୍ୟା ପାଣି କେବେ ସମ୍ପୂର୍ଣ୍ଣ ଛାଡ଼ିବ ଏବଂ କେବେ ସ୍ୱାଭାବିକ ହେବ ଜୀବନଯାତ୍ରା, ତାକୁ ନେଇ ଚିନ୍ତାରେ ଉତ୍ତର ଓଡ଼ିଶାର ବନ୍ୟା ବିପନ୍ନ ।
ଚର୍ଚ୍ଚା tv











