ସାମ୍ବାଦିକ ରାଜୀବ କୁମାର ବେହେରା
ମୟୁରଭଞ୍ଜ : ବରହମପୁର ଥାନା ଅଧୀନ ଜାମୁନା କଇଁମ ହୁଡ଼ି ଗ୍ରାମରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଯାଇଛି। ଗାଁରୁ ହଜି ଯାଇଥିବା ଗାଇ ଖୋଜିବା ପାଇଁ ତିନିଜଣ ଗ୍ରାମବାସୀ ଜଙ୍ଗଲ ଭିତରକୁ ଯାଇଥିବା ବେଳେ, ହଠାତ୍ ବୁଦା ଭିତରୁ ଏକ ଜଙ୍ଗଲୀ ମଇଁଷି ବାହାରି ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣ ସମୟରେ ଦୁଇଜଣ କଷ୍ଟକର ଭାବେ ଜୀବନ ବଞ୍ଚାଇ ଦୌଡ଼ି ପଳାଇଯିବାରେ ସଫଳ ହୋଇଥିବା ବେଳେ, କଇଁମ ହୁଡ଼ି ଅଞ୍ଚଳର ମକରା ସୋରେନ ଜଙ୍ଗଲୀ ମଇଁଷିର ଆକ୍ରମଣର ଶିକାର ହୋଇଥିଲେ। ଜଙ୍ଗଲୀ ମଇଁଷିଟି ତାଙ୍କ ପେଟରେ ସିଙ୍ଗ ଦ୍ୱାରା ଭୁସି ଦେଇ ତାଙ୍କୁ ଗୁରୁତର ଆହତ କରିଥିଲା। ଘଟଣା ପରେ ସଙ୍ଗେସଙ୍ଗେ ଗ୍ରାମବାସୀ ଓ ପରିବାର ଲୋକେ ମକରା ସୋରେନଙ୍କୁ ଏକ ଅଟୋ ର ସହାୟତାରେ ଉଦଳା ଡାକ୍ତରଖାନାକୁ ନେଇଯାଉଥିବା ବେଳେ, ମଧ୍ୟରାସ୍ତାରେ ଏକ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲା।
କିନ୍ତୁ ଦୁଃଖର ବିଷୟ, ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ମର୍ମନ୍ତୁଦ ଘଟଣା ପରେ ଉଦଳା ଡାକ୍ତରଖାନା ପରିସରରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ବରହମପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ସହ ଏକ ମାମଲା ରୁଜୁ କରିଛି। ପରିବାର ଲୋକ ଓ ପୋଲିସ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଛି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ଓ ଆର୍ଥିକ ସହାୟତା ଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଦାବି ଜଣାଇଛନ୍ତି। ସେହିପରି ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଯଥୋଚିତ ପଦକ୍ଷେପ ନିଆଯିବାକୁ ମଧ୍ୟ ଦାବି ହେଉଛି।












