ସାମ୍ବାଦିକ ରାଜୀବ କୁମାର ବେହେରା
ତାରିଖ- ୦୩-୦୧-୨୦୨୬
ଉଦଳା : କପ୍ତିପଦା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଳା ହାଇସ୍କୁଲ ପଡ଼ିଆରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଏବଂ କୃଷି ଜିଲ୍ଲା ଅଧିକାରୀ, ଉଦଳାଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି ମେଳାକୁ ଉଦଳାର ମାନ୍ୟବର ବିଧାୟକ ଶ୍ରୀ ଭାସ୍କର ଚନ୍ଦ୍ର ମଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ।ଏହି ଅବସରରେ କପ୍ତିପଦା ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ, ଉଦଳା ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶ୍ରୀ ନରେନ୍ଦ୍ର ଖମାରୀ, ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁଧନ୍ୟା ନାଏକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର, ଉଦଳା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାସ, ଉଦଳା ଏନଏସି ଉପାଧ୍ୟକ୍ଷା ଶ୍ରୀମତୀ ଲିଲି ଭୋଳ ସହ ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ। ମେଳା ଉଦ୍ଘାଟନ ଅବସରରେ ପୂର୍ବାହ୍ନରେ ଉଦଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ଏକ ବର୍ଣ୍ଣାଢ୍ୟ କାର୍ଣ୍ଣିଭାଲ ଶୋଭାଯାତ୍ରା ବାହାରି ମେଳା ପଡ଼ିଆରେ ପହଞ୍ଚିଥିଲା। ପରେ ଅତିଥିମାନେ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ପରିଦର୍ଶନ କରିଥିଲେ।
କୃଷି ଜିଲ୍ଲା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରାଯାଇଥିଲା। ପରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ, ଧୂପ–ପୁଷ୍ପ ଅର୍ପଣ ଏବଂ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରାଯାଇଥିଲା। ବକ୍ତବ୍ୟ ରଖି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଢ଼େଇ କହିଥିଲେ ଯେ, ଓଡିଶା ସରକାର କୃଷକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି ଏବଂ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ନିରନ୍ତର ପ୍ରୟାସରତ।
ସଭା ସମାପ୍ତି ପରେ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ର, ଶାମାଖୁଣ୍ଟାର ବୈଜ୍ଞାନିକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଧଳ ଓ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ପ୍ରଜ୍ଞାଶ୍ରୀ ଚାନ୍ଦ ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ତିନିଦିନିଆ ମେଳାରେ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଓଡିଶା କୃଷି ଶିଳ୍ପ ନିଗମ, ଆଇଟିଡିଏ, ମିଶନ ଶକ୍ତି ସହ ମୋଟ ୩୨ଟି ପ୍ରଦର୍ଶନୀ ଷ୍ଟଲ ସ୍ଥାପିତ ହୋଇଛି। ଏହା ସହ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୦ ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଛି।












