ସାମ୍ବାଦିକ ରାଜୀବ କୁମାର ବେହେରା
ତାରିଖ-୦୪-୦୧-୨୦୨୬
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳାର ସରକାରୀ ପଶୁଚିକିତ୍ସାଳୟରେ ନିୟୋଜିତ ଆମ୍ବୁଲାନ୍ସ ସେବାକୁ ନେଇ ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି। ପଶୁମାନଙ୍କ ଆପାତକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ଏହି ଗାଡ଼ି ଆବଶ୍ୟକ ଆଇନଗତ କାଗଜ ପତ୍ର ବିନା ରାସ୍ତାରେ ଚଳାଚଳ କରୁଥିବା ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ମିଳିଥିବା ତଥ୍ୟ ଅନୁଯାୟୀ, 0D05BN1680 ନମ୍ବର ବିଶିଷ୍ଟ ଉକ୍ତ ଆମ୍ବୁଲାନ୍ସରେ ଗାଡ଼ି ଫିଟନେସ ସର୍ଟିଫିକେଟ, ପୋଲୁସନ ଅଣ୍ଡର କଣ୍ଟ୍ରୋଲ (PUC) ଓ ବୈଧ ଇନ୍ସୁରାନ୍ସ ଭଳି ମୂଳ କାଗଜ ପତ୍ର ଉପଲବ୍ଧ ନାହିଁ। ଏପରି ଅବସ୍ଥାରେ ଗାଡ଼ି ଚଳାଇବା ଆଇନ ବିରୋଧୀ ହେବା ସହ ସାଧାରଣ ସୁରକ୍ଷା ପାଇଁ ମଧ୍ୟ ବିପଦଜନକ ବୋଲି ଜଣାପଡ଼ୁଛି। ଅଧିକ ଆଶ୍ଚର୍ଯ୍ୟର କଥା ହେଲା, ଏହି ଗୁରୁତର ବେନିୟମ ସତ୍ତ୍ୱେ ଆମ୍ବୁଲାନ୍ସର ଦାଇତ୍ୱ ରେ ଥିବା ସଂସ୍ଥା ଓ ନିୟନ୍ତ୍ରଣରେ ଥିବା ସମ୍ପୃକ୍ତ ଅଧିକାରୀମାନେ ନିରବ ରହିଛନ୍ତି। ନିୟମ ପାଳନ ନ କରିବା ଫଳରେ ପଶୁସେବା ନାମରେ ଚାଲୁଥିବା ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କର ଆସ୍ଥା ଧୀରେ ଧୀରେ କ୍ଷୟ ପାଉଛି। ସ୍ଥାନୀୟ ପଶୁପାଳକ ଓ ସଚେତନ ନାଗରିକମାନେ ମତ ପ୍ରକାଶ କରି କହିଛନ୍ତି ଯେ, ଯଦି ଏପରି ଅସୁରକ୍ଷିତ ଗାଡ଼ି ଦ୍ୱାରା କୌଣସି ଅଘଟଣ ଘଟେ, ତେବେ ତାହାର ଦାୟିତ୍ୱ କିଏ ନେବ—ଏନେଇ ପ୍ରଶାସନ ସ୍ପଷ୍ଟ କରିବା ଆବଶ୍ୟକ। ଘଟଣାକୁ ଗୁରୁତ୍ୱ ଦେଇ ସେମାନେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।












