ତାରିଖ-୦୪-୦୧-୨୦୨୬
ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା : ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଳମ ଜିଲ୍ଲା ସୋମପେଣ୍ଟ ମଣ୍ଡଳ ଅନ୍ତର୍ଗତ ବାରୁଆ ଛକ ନିକଟ ଜାତୀୟ ରାଜପଥରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ମର୍ମନ୍ତୁଦ ଘଟଣାରେ ଦୁଇ ଛୋଟ ଝିଅ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଯାଇ ଟ୍ରକଟି ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା। ପରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। କାରଟିରେ ଚାଳକଙ୍କ ସମେତ ପାଞ୍ଚଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ୧୦ ବର୍ଷିଆ ଝିଅ ଓ ଜଣେ ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଯାଉଥିବା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ କାର ଚାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ଅନ୍ୟ ଜଣେ ନାବାଳିକା କୋମାରେ ରହି ଚିକିତ୍ସାଧୀନ ଅଛନ୍ତି।
ମୃତକ ଓ ଆହତଙ୍କ ସଠିକ୍ ପରିଚୟ ସମ୍ପର୍କରେ ସୂଚନା ମିଳିନଥିଲେ ମଧ୍ୟ, ମୃତକ ମହିଳା ଜଣକ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଜଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିଘି ନୂଆସାହି ଗ୍ରାମର ବୋଲି ଜଣାପଡ଼ିଛି। ସେ ବିଶାଖାପାଟଣାରେ ସ୍ଥଳସେନା ବାହିନୀରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି












