ତାରିଖ- ୧୦-୦୧-୨୦୨୬
ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରୁ ଦିନକୁ ଦିନ ବନ୍ୟଜନ୍ତୁମାନେ ବାଟ ବଣା ହୋଇ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ଫଳସ୍ୱରୂପ ଗାଁ-ଘରେ ଆତଙ୍କର ପରିବେଶ ସୃଷ୍ଟି ହେଉଥିବା ବେଳେ, ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷର ସମ୍ଭାବନା ମଧ୍ୟ ବଢ଼ୁଛି। ଏଭଳି ପରିସ୍ଥିତି ରେ ଶିମିଳିପାଳ ରେ ତାପମାତ୍ରା ” ୦” ହୋଇ ଥିବା ବେଳେ ବନ୍ୟଜନ୍ତୁ ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହାଁ ହୋଇ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି l ତେବେ ଏକ ସମ୍ବର ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଲକ ଅନ୍ତର୍ଗତ କରକଚିଆ ଗ୍ରାମ ପଞ୍ଚାୟତର ହରିପୁର ଗ୍ରାମ ମଧ୍ୟକୁ ଏହି ସମ୍ବରଟି ଅପରାହ୍ନ ସମୟରେ ପଶି ଆସିଥିଲା। ଗ୍ରାମ ମଧ୍ୟରେ ହଠାତ୍ ସମ୍ବରଟିକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ସମ୍ବରଟି କୌଣସି ହାନି କରିନପାରୁ ବୋଲି ଗ୍ରାମବାସୀମାନେ ସତର୍କତା ସହ କୌଶଳକ୍ରମେ ତାହାକୁ ଧରି, ବେକରେ ପଘା ଲଗାଇ ଗୋଟିଏ ଗଛରେ ବାନ୍ଧି ଉଦଳା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡିରା ସମ୍ବରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଉଦ୍ଧାର ହୋଇଥିବା ସମ୍ବରଟି ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ରହିଛି। ତାହାକୁ ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମ୍ବରଟି ଖାଦ୍ୟ ଅନ୍ବେଷଣରେ ବାଟ ବଣା ହୋଇ ଜନବସତି ମୁହାଁ ହୋଇଥିବା ନେଇ ଅନୁମାନ କରାଯାଉଛି। ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକେ ବନ ବିଭାଗର ତୁରନ୍ତ ଏବଂ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।











