– ଦୁଇ ମାସ ଧରି ବନ୍ଦ ପାଠପଢ଼ା, ପରୀକ୍ଷା ମୁଣ୍ଡରେ ଚିନ୍ତା
– ଖାଦ୍ୟ ନମିଳିବାରୁ ନିଜେ ରୋଷେଇ କରୁଛନ୍ତି ଛାତ୍ରଛାତ୍ରୀ
– ପାଣି, ପାଇଖାନା ଭଳି ମୌଳିକ ସୁବିଧାର ଭୟଙ୍କର ଅଭାବ
ଉଦଳା, (ରାଜୀବ କୁମାର ବେହେରା):
ସରକାର ଶିକ୍ଷାକୁ ସହର ଠାରୁ ଗ୍ରାମ ଓ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା ନିଷ୍ପାଦନ କରୁଥିବା ବେଳେ, ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ଅବସ୍ଥିତ ପଦ୍ମପୋଖରୀ ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଭୟଙ୍କର ଦୁର୍ଦ୍ଦଶା ସାମ୍ନାକୁ ଆସିଛି।
ବିଦ୍ୟାଳୟରେ ଚାଲିଥିବା ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ୮ ଜଣ ଛାତ୍ରଛାତ୍ରୀ ସହ କିଛି ଅଭିଭାବକ ଆଜି ଉପଖଣ୍ଡ ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ ଦାଖଲ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ମାସରୁ ବିଦ୍ୟାଳୟରେ ପାଠପଢ଼ା ପୂରାପୂରି ବନ୍ଦ ରହିଛି। ପରୀକ୍ଷା ନିକଟ ଆସୁଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କୁ କୌଣସି ଶିକ୍ଷାମୂଳକ ସହଯୋଗ ମିଳୁନାହିଁ। ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ବାଧ୍ୟ ହୋଇ ସେମାନେ ଗାଁ-ଗାଁ ଘୁରି ପନିପରିବା ସଂଗ୍ରହ କରିବା ସହ କାଠ ଆଣି ନିଜେ ରୋଷେଇ କରୁଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି।
ଅଭିଯୋଗକାରୀମାନେ କହିଛନ୍ତି ଯେ, ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ନିୟମିତ ଭାବେ ବିଦ୍ୟାଳୟକୁ ଆସୁନଥିବା ସହ ଛାତ୍ରଛାତ୍ରୀଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରାୟ ୪୦ରୁ ୫୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୮ ଜଣ ଶିକ୍ଷକ ନିଯୁକ୍ତ ଥିବା ସୂଚନା ମଧ୍ୟ ଦିଆଯାଇଛି, ଯାହା ସତ୍ତ୍ୱେ ଶିକ୍ଷା କାର୍ଯ୍ୟକଳାପ ଠପ ହୋଇ ରହିଛି।
ବିଦ୍ୟାଳୟଟି ଏକ ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ସରକାରୀ ନିୟନ୍ତ୍ରଣର ଅଭାବ ରହିଛି। ଏହାକୁ ସୁଯୋଗ ଭାବେ ନେଇ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ମନମୁଖୀ ଭାବେ ବିଦ୍ୟାଳୟ ଚଳାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗରେ ଆହୁରି ଉଲ୍ଲେଖ ଅଛି ଯେ, ଛାତ୍ରୀମାନେ ରହୁଥିବା ସତ୍ତ୍ୱେ ଦୀର୍ଘ ଦିନ ଧରି ପାଇଖାନା ଓ ପିଇବା ପାଣିର ଯଥେଷ୍ଟ ବ୍ୟବସ୍ଥା ନାହିଁ, ଯାହା ତାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଗଭୀର ଚିନ୍ତାର ବିଷୟ।
ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ପ୍ରତୀକ ପଣ୍ଡା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୋଗର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି। ଅଭିଯୋଗ ପତ୍ରକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି।
ପଦ୍ମପୋଖରୀ ଉପେନ୍ଦ୍ରନାଥ ହାଇସ୍କୁଲରେ ଚରମ ଅବ୍ୟବସ୍ଥା୮ ଛାତ୍ରଛାତ୍ରୀ ଉପଖଣ୍ଡ ପ୍ରଶାସନକୁ ଲିଖିତ ଅଭିଯୋଗ
By Charcha News












