ଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାର ଉଦଳା –ରାଢ଼ ମୁଖ୍ୟ ସଡକର ମେଣ୍ଢାଖାଇ ବାଙ୍କ ନିକଟରେ ବିଳମ୍ବିତ ରାତ୍ରି ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଯାଉଥିବା ପଲ୍ସର ବାଇକ ବେଗ ନିୟନ୍ତ୍ରଣ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି।
ଘଟଣାରେ ବହୁବନ୍ଧ–ଗୋଧିମରା ଗ୍ରାମର ପ୍ରଶାନ୍ତ କୁମାର ଟୁଡୁ (୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ଉଦଳା ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ହାତ ଭାଙ୍ଗିଯାଇଥିବା ସହ ଛାତିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଉଦଳା ଦମକଳ ବାହିନୀଙ୍କ ସହାୟତାରେ ଆହତଙ୍କୁ ତୁରନ୍ତ ଚିକିତ୍ସାଳୟକୁ ପଠାଯାଇଥିଲା। ଘଟଣା ପରେ ଉଦଳା ପୋଲିସ ଶବକୁ ଜବଦ କରି ୫୮/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପରିବାରବର୍ଗଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଛି।
ଉଲ୍ଲେଖନୀୟ ଯେ, ମୃତ ପ୍ରଶାନ୍ତଙ୍କ ବାହାଘରକୁ ମାତ୍ର ଦୁଇ ମାସ ନ ପୁରୁଣୁ ଚାଲିଗଲା ଜୀବନ। ଘରର ଏକମାତ୍ର ରୋଜଗାରିଆ ପୁଅଙ୍କ ଅକାଳ ମୃତ୍ୟୁରେ ପରିବାର ଓ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମେଣ୍ଢାଖାଇ ବାଙ୍କ ଅତ୍ୟନ୍ତ ଜଟିଳ ଓ ଦୁର୍ଘଟଣାପ୍ରବଣ ଥିବାରୁ ଏଠାରେ ପୂର୍ବରୁ ମଧ୍ୟ ଅନେକ ଦୁର୍ଘଟଣା ଘଟିଛି। ସଡକ ସୁରକ୍ଷା ପାଇଁ ଦୁର୍ଘଟଣାପ୍ରବଣ ସ୍ଥାନରେ ସଚେତନତା ସୂଚକ ବୋର୍ଡ ସ୍ଥାପନ ଓ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଦାବି କରିଛନ୍ତି।
ଉଦଳା–ରାଢ଼ ରାସ୍ତାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାଜଣେ ମୃତ, ଜଣେ ଗୁରୁତର
By Charcha News











