ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଦ୍ବାରା ସହିଦ ସପ୍ତାହ ପାଳନ କରିବାର ଏକ ଭିଡିଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଛି। ବିଗତ କିଛି ଦିନ ମଧ୍ୟରେ ମାଓ ସଂଗଠନ ” ଅପରେସନ କାଗାର”ରେ ଅନେକ କ୍ଷୟକ୍ଷତି ସହିବା ପରେ ସଂଗଠନକୁ ସୁଦୃଢ ତଥା ନିଜର ଉପସ୍ଥିତି ଜାହିର କରିବା ପାଇଁ ଏହି ସହିଦ ସପ୍ତାହ ପାଳନର ଭିଡିଓ ଜାରି କରିଥିବା ବେଳେ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଛି। ବସ୍ତର ଡିଭିଜନର ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରାଯାଉଥିବା ସୂଚନା ମିଳୁଛି। ଭିଡିଓରେ ମାଓ ସଂଗଠନର ସଦସ୍ୟମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରୁଥିବା ବେଳେ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ମାଓବାଦୀଙ୍କ ବରିଷ୍ଠ ନେତା ବାସବରାଜୁ ଓ ତାଙ୍କ ସହଯୋଗୀ ମାନଙ୍କ ପାଇଁ ଏକ ନୂତନ ସ୍ମାରକ ସ୍ତମ୍ଭ ନିର୍ମାଣ କରିଥିବା ମଧ୍ୟ ଜଣାପଡିଛି। ସେହିପରି ମାଓ ବ୍ୟାନର୍ରେ “କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତି ଓ ଗୌତମ ଅମର ରହନ୍ତୁ”, “ଅମରଶହୀଦଙ୍କ ତ୍ୟାଗକୁ ଉଚ୍ଚରେ ରଖିବା”, “ଶହୀଦଙ୍କ ତ୍ୟାଗ ବ୍ୟର୍ଥ ହେବନାହିଁ”, ଏବଂ “ଅପରେସନ କାଗର୍ ଦମନକୁ ଆମେ ପରାସ୍ତ କରିବୁ” ପରି ସ୍ଲୋଗାନ୍ ଲେଖାଯାଇଛି
ମାଓବାଦୀଙ୍କ ଦ୍ଵାରା ସହିଦ ସପ୍ତାହ ପାଳନ କରିବାର ଏକ ଭିଡିଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଛି
By Charcha News











