ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ସପ୍ତାହର ପ୍ରଥମ ଦିନ ଆରମ୍ଭରୁ ମେଟ୍ରୋ ବିଭ୍ରାଟ। ଯାହା ଫଳରେ ସକାଳୁ ସକାଳୁ କାମକୁ ବାହାରି ଚୂଡାନ୍ତ ହନ୍ତସ୍ତର ମୁହଁରେ ଯାତ୍ରୀମାନଙ୍କୁ ପଡିବାକୁ ହେଲା। ଦକ୍ଷିଣେଶ୍ୱର ଓ ଦମଦମରୁ ଦିନର ପ୍ରଥମ ମେଟ୍ରୋ ପ୍ରାୟ ଏକ ଘଣ୍ଟା ପରେ ଆରମ୍ଭ ହେଲା। କୋଲକାତା ମେଟ୍ରୋ ସୂତ୍ର ଅନୁଯାୟୀ, ନୋଆପଡା କାରସେଡରେ ତୃତୀୟ ଲାଇନରେ ସଠିକ୍ ବିଦ୍ୟୁତ୍ ଯୋଗାଣ ନହେବାରୁ ଏହି ସମସ୍ୟା ଉପୁଜିଥିଲା। ଏକ ଘଣ୍ଟା ପରେ ଏହା ସ୍ୱାଭାବିକ ହେବାପରେ ମେଟ୍ରୋ ପରିସେବା ଆରମ୍ଭ ହୋଇଥିଲା। ଦକ୍ଷିଣେଶ୍ୱରରୁ ଦିନର ପ୍ରଥମ ପରିସେବା ସକାଳ ୭ଟାରେ ଆରମ୍ଭ ହେବାର କଥା ଥିଲା। ତେବେ ପ୍ରଥମ ମେଟ୍ରୋ ସକାଳ ୭ଟା ୫୪ ସମୟରେ ଛାଡ଼ିଥିଲା। ଦମଦମରୁ ଦିନର ପ୍ରଥମ ମେଟ୍ରୋ ମଧ୍ୟ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ, ଅପ୍ ଲାଇନ ଅର୍ଥାତ୍ ସହିଦ ଖୁଦିରାମରୁ ଦକ୍ଷିଣେଶ୍ୱର ରୁଟରେ ମେଟ୍ରୋ ପରିସେବା ସ୍ୱାଭାବିକ ରହିଥିଲା। କୋଲକାତା ମେଟ୍ରୋରେଲ ସୂତ୍ରରୁ ଜଣାପଡିଛି, ସୋମବାର ସକାଳ ଠାରୁ ନୋଆପଡା କାରସେଡର ତୃତୀୟ ଲାଇନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ଯୋଗାଣ ସମସ୍ୟା ଲାଗି ରହିଥିଲା।
ଯାହା ଯୋଗୁଁ ଦିନର ପ୍ରଥମ ମେଟ୍ରୋ ସେଠାରୁ ଠିକ୍ ସମୟରେ ଛାଡି ପାରିନଥିଲା। ମେଟ୍ରୋ ଅଧିକାରୀମାନେ ଶୀଘ୍ର ପରିସେବା ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ କାର୍ଯ୍ୟକଳାପରେ ଲାଗି ପଡିଥିଲେ। ତା’ପରେ ସକାଳ ୭ଟା ୫୪ ସମୟରେ ଦକ୍ଷିଣେଶ୍ୱରରୁ ପ୍ରଥମ ମେଟ୍ରୋ ଆରମ୍ଭ ହୋଇଥିଲା। ଯାହା ସକାଳ ୭ଟା ସମୟରେ ଆରମ୍ଭ ହେବାର କଥା ଥିଲା। ମେଟ୍ରୋ ଆରମ୍ଭ ହେବା ପରେ ମଧ୍ୟ ପରିସେବା ବହୁତ ସୁଗମ ହୋଇନଥିଲା। ବିଭିନ୍ନ ଷ୍ଟେସନରେ ଅତିରିକ୍ତ ସମୟ ପାଇଁ ମେଟ୍ରୋ ବନ୍ଦ ହୋଇଯାଇଥିଲା। ତେବେ, ମେଟ୍ରୋ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସକାଳ ୮ଟା ଠାରୁ ପରିସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି। କିନ୍ତୁ ଯାତ୍ରୀଙ୍କ ଅଭିଜ୍ଞତା ତାହା କହୁନାହିଁ।
ସପ୍ତାହର ପ୍ରଥମ ଦିନ ସକାଳେ କାମକୁ ବାହାରି ମେଟ୍ରୋ ନପାଇ ଯାତ୍ରୀମାନେ ଚୂଡାନ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ବ୍ୟତୀତ, ପରିସେବା ବ୍ୟାହତ ହେବା ସମ୍ପର୍କରେ କୌଣସି ଘୋଷଣା ନ ହେବାରୁ ସେମାନେ ସସପେନ୍ସରେ ପଡ଼ି ଯାଇଥିଲେ। ମେଟ୍ରୋ ଆରମ୍ଭ ହେବା ପରେ ମଧ୍ୟ, ଭିଡ଼ ଚାପ ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯଦିଓ ଏହି ସମସ୍ୟା ଡାଉନ୍ ଲାଇନରେ ଥିଲା, ତେବେ ଅପ୍ ଲାଇନରେ ଅର୍ଥାତ୍ ସହିଦ ଖୁଦିରାମରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ପରିସେବା ସ୍ୱାଭାବିକ ଥିଲା











