ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଖରିଫ ୠତୁରେ ଚାଷୀ ଉଚିତ ମୂଲ୍ୟରେ ସାର ପାଇବା ଦରକାର। ଆଜି ଲୋକସେବା ଭବନରେ ସାର ଉପଲବ୍ଧି ଓ ସୁଷମ ବଣ୍ଟନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
BY-SUBHASMITA-DT-18.4.2026
ଭୁବନେଶ୍ୱର: ଖରିଫ ଋତୁକୁ ଲକ୍ଷ୍ୟ କରି ଚାଷୀମାନଙ୍କୁ ସମୟରେ ଓ ଉଚିତ ମୂଲ୍ୟରେ ସାର ଯୋଗାଣ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର କଡ଼ା ଭାବରେ ମାଇଦାନକୁ ନାମିଛନ୍ତି। ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ସାର ଅଭାବର କୌଣସି ଅବସରକୁ ନେଇ କଳାବଜାରୀ କିମ୍ବା ଚୋରା ଚାଲାଣ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅନିବାର୍ୟ। ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ସାର ଉତ୍ପାଦନ ଓ ଆମଦାନୀ ଉପରେ ପ୍ରଭାବ ପକାଇଥିବାରୁ ସରକାର ପୂର୍ବ ସତର୍କତା ନେଇଛି। ତଥାପି, ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇ କହିଛନ୍ତି ଯେ ରାଜ୍ୟରେ ୟୁରିଆ ଓ ଡିଏପି ସାରର ପର୍ଯ୍ୟାପ୍ତ ମଜୁତ ଅଛି ଏବଂ ଚାଷୀଙ୍କୁ କୌଣସି ସମସ୍ୟା ହେବାକୁ ଦିଆଯିବ ନାହିଁ। ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମରେ ନିୟମିତ ଚଢ଼ାଉ ଓ ଯାଞ୍ଚ କରାଯାଉ। ଅବୈଧ ଭାବେ ସାର ମହଜୁଦ କରିବା କିମ୍ବା ଅଧିକ ଦରରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ସହ ଲାଇସେନ୍ସ ବାତିଲ କରିବାକୁ କହାଯାଇଛି। ସେହିପରି ପଡ଼ୋଶୀ ରାଜ୍ୟକୁ ସାର ଚୋରା ଚାଲାଣ ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ପୁଲିସ ଓ କୃଷି ବିଭାଗଙ୍କୁ ଯୁକ୍ତ ଭାବରେ ନଜରଦାରି ବଢ଼ାଇବାକୁ ନିର୍ଦ୍ଦେଶ ମିଳିଛି। ଶିଳ୍ପ କ୍ଷେତ୍ରକୁ ରିଆତି ୟୁରିଆ ଅବୈଧ ଭାବେ ପହଞ୍ଚୁଥିବା ଅଭିଯୋଗ ନେଇ ମଧ୍ୟ ସରକାର ଗୁରୁତ୍ୱ ଦେଇଛି। ଏହା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସକୁ ସକ୍ରିୟ କରାଯାଇଛି ଓ ସମୟ ସମୟରେ ଯାଞ୍ଚ ବଢ଼ାଇବାକୁ କହାଯାଇଛି। ପଞ୍ଚାୟତ ସ୍ତରରେ ସାର ବଣ୍ଟନକୁ ସୁଚାରୁ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି ଗଠନ କରାଯିବ। ଆସନ୍ତା କିଛି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହା ସହ ବିକ୍ରୟ କେନ୍ଦ୍ରରେ ସାରର ଷ୍ଟକ୍ ଓ ଦରକୁ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ, ଯାହାଦ୍ୱାରା ଚାଷୀମାନେ ସହଜରେ ସୂଚନା ପାଇପାରିବେ।କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାର ବଣ୍ଟନ ବ୍ୟବସ୍ଥାକୁ ସୁସଂଖଳିତ କରିବା ଆବଶ୍ୟକ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଣ୍ଟନ ପ୍ରଣାଳୀକୁ ଆହୁରି ପାରଦର୍ଶୀ କରିବା ଉପରେ ଜୋର ଦେଇଥିଲେ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












