ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଏବଂ ଅନ୍ୟଟି ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ ଅନୁକୂଳ ହେବ। ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ଏବେଠାରୁ ଚଳ ଚଞ୍ଚଳ ।ଭୋଇ ସେବକ ଓ ମହାରଣା ସେବକ ମାନେ ପ୍ରସ୍ତୁତ କରୁଛନ୍ତି ଚାପ ।ବର୍ଷ ତମାମ ପାଣି ରେ ବୁଡି ରହୁଥିବା ଡଙ୍ଗା କୁ ଉଦ୍ଧାର କରାଯାଇ ସାରିଛି। ଏବେ ସେଥିରେ ମରାମତି ଆରମ୍ଭ ହୋଇଛି
BY-SUBHASMITA-DT-19.4.2026
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ପୂରୀର ନରେନ୍ଦ୍ର ପୋଖରୀ ଏବେ ଉତ୍ସବମୟ ରୂପ ନେଇ ସଜେଇ ହେଉଛି। ମହାପ୍ରଭୁଙ୍କ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପରମ୍ପରା ଏକେ ଦିନରେ ଆରମ୍ଭ ହେବାକୁ ଯାଉଥିବାରୁ ସାରା ପରିବେଶ ଆଧ୍ୟାତ୍ମିକ ଉତ୍ସାହରେ ଭରିଯାଇଛି।
ଏହି ଦିନରୁ ମହାପ୍ରଭୁଙ୍କ ୨୧ ଦିନ ଧରି ଚାଲିଥିବା ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ସେହିପରି ରଥ ନିର୍ମାଣ ପାଇଁ ମଧ୍ୟ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ, ଯାହା ରଥଯାତ୍ରା ପାଇଁ ଏକ ମୁଖ୍ୟ ପଦକ୍ଷେପ।
ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ପୋଖରୀରେ ଏବେ ଚଞ୍ଚଳତା ଦେଖିବାକୁ ମିଳୁଛି। ଭୋଇ ଓ ମହାରଣା ସେବାୟତମାନେ ନନ୍ଦା ଓ ଭଦ୍ରା ଚାପ ପ୍ରସ୍ତୁତିରେ ବ୍ୟସ୍ତ। ବର୍ଷ ତମାମ ପାଣିରେ ବୁଡି ରହୁଥିବା ଡଙ୍ଗାଗୁଡ଼ିକୁ ଉଦ୍ଧାର କରି ସେଗୁଡ଼ିକର ମରାମତି କାମ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି। ପ୍ରାୟ ୧୦ ଜଣ ମହାରଣା ଓ ୧୦ ଜଣ ଭୋଇ ସେବାୟତ ଏହି କାମରେ ଲାଗି ପଡ଼ିଛନ୍ତି।
ଚାରିଟି ଡଙ୍ଗାରେ ଧାରଣା ଲାଗିବା ସହ ପଟା ବାଡ଼ିଆ କାମ ଚାଲିଛି ଏବଂ ମୁଣ୍ଡୁଳି ଉଠାଯାଉଛି। ଆସନ୍ତାକାଲି ହଂସ ଲାଗିବା ପରେ ଚାପ ଖେଳିବେ ମଦନମୋହନ, କୃଷ୍ଣ-ବଳରାମ ଓ ପଞ୍ଚୁ ପାଣ୍ଡବ। ଦୁଇଟି ଡଙ୍ଗା ନେଇ ନନ୍ଦା ଓ ଅନ୍ୟ ଦୁଇଟି ଡଙ୍ଗା ନେଇ ଭଦ୍ରା ଚାପ ପ୍ରସ୍ତୁତ ହେବ, ଯେଉଁଥିରେ ବୈଜନ୍ତରୀ ଚାପ ପଥପ୍ରଦର୍ଶକ ଭାବେ ରହିବ।
ଏହା ସହିତ ଚିତ୍ରକାର ସେବାୟତମାନେ ମଧ୍ୟ ସଜାଣି କାମରେ ବ୍ୟସ୍ତ। ଚନ୍ଦନ ମଣ୍ଡପ, ପାଣି ଚାଳି, ପଞ୍ଚୁ ପାଣ୍ଡବ ମନ୍ଦିର, ରାମକୃଷ୍ଣ ମନ୍ଦିର ଓ ଜଗମୋହନକୁ ନୂଆ ରଙ୍ଗରେ ସଜାଯାଇଛି। ଏବେ କେବଳ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା, ଯାହା ସହ ଆରମ୍ଭ ହେବ ଏହି ପବିତ୍ର ଓ ଐତିହ୍ୟବାହୀ ଉତ୍ସବର ଅନନ୍ୟ ରୂପ ।
ଚର୍ଚ୍ଚା news












