ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥି
BY-SUBHASMITA-DT-21.4.2024
କଟକ:ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର କୃଷି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅକ୍ଷୟ ତୃତୀୟା ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆର୍ଆର୍ଆଇ)ରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି କଥା କହିଥିଲେ।
ସେ କହିଥିଲେ ଯେ, ଅକ୍ଷୟ ତୃତୀୟା ଦିନ ଚାଷୀମାନେ ‘ଅକ୍ଷିମୁଠି ଅନୁକୂଳ’ କରି ନୂତନ କୃଷି ବର୍ଷର ଶୁଭାରମ୍ଭ କରିଥାନ୍ତି, ଯାହା ଓଡ଼ିଶାର ଗୌରବମୟ ପରମ୍ପରା। ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷ ଜମିରେ ଭୂମିପୂଜା କରି ‘ଅକ୍ଷିମୁଠି ଅନୁକୂଳ’ କରିଥିଲେ। ପରେ ସେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ସହ ‘ଆମ ବିହନ ରଥ’ ଓ ‘କୃଷି ରଥ’ର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ୧୦ଟି ଜିଲ୍ଲାର ୩୧ଟି ବ୍ଲକ୍ରେ ଚାଲୁ ହେବ ଏବଂ ୫ କେଜିଆ ପ୍ୟାକେଟ୍ରେ ନୂତନ ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ପାଇଁ ଏକାଧିକ ଘୋଷଣା କରି ୨୦୨୬ ଖରିଫ ଋତୁ ପାଇଁ ୪୧.୬୮ ଲକ୍ଷ ଚାଷୀଙ୍କୁ ‘ସିଏମ୍-କିଷାନ’ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଅଛନ୍ତି। ସେ କହିଥିଲେ ଯେ, କେବଳ ୨୨ ମାସରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ। ଚଳିତ ବର୍ଷ ୧୫୦ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି।କୃଷିକୁ ଆଧୁନିକ ଓ ଲାଭଜନକ କରିବା ପାଇଁ ଉନ୍ନତ ବିହନ, ଜଳସେଚନ ଓ ବଜାର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ସହ ‘ବଳଭଦ୍ର ଜୈବିକ ଚାଷ ମିସନ୍’ ଓ ‘ଶ୍ରୀ ଅନ୍ନ’ ଅଭିଯାନକୁ ଆଗକୁ ବଢ଼ାଯାଉଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ରାଜ୍ୟର ପ୍ରଗତିର ମେରୁଦଣ୍ଡ ହେଉଛନ୍ତି କୃଷକମାନେ ଓ ସରକାର ସଦା ତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ।
ଏହି ଅବସରରେ ଅନେକ ଜନପ୍ରତିନିଧି, ଅଧିକାରୀ ଓ କୃଷି ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












