ଭୁବନେଶ୍ୱର: ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ରେ ଟେଣ୍ଡର ଅନିୟମିତତା ଅଭିଯୋଗକୁ ନେଇ ପୁଣିଥରେ ରାଜନୀତି ତୀବ୍ର ହୋଇଛି। IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ IT ସଚିବ ବିଶାଳ ଦେବଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି।
କଂଗ୍ରେସର ଅଭିଯୋଗ ଅନୁସାରେ, ମନ୍ତ୍ରୀ ଓ ସଚିବଙ୍କ ମିଳିତ ଚକ୍ରାନ୍ତରେ OCAC କୁ ଦୁର୍ନୀତିପୂର୍ଣ୍ଣ ସଂସ୍ଥାରେ ପରିଣତ କରାଯାଇଛି। ୩୦ ଅଗଷ୍ଟ ୨୦୨୫ ରେ ବିଜ୍ଞାପିତ ଟେଣ୍ଡର ଅନୁଯାୟୀ ‘ସ୍କୁଲ ନେଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’କୁ କାର୍ଯ୍ୟାଦେଶ ଦିଆଯାଇଥିବାରେ ଅନେକ ଅନିୟମିତତା ଥିବା ଦାବି କରାଯାଇଛି।
ଏହି ପ୍ରସଙ୍ଗରେ RTI କର୍ମୀ ବନମାଳି ମେହେର ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଚେତାବନୀ ଦେଇଥିଲେ ଯେ, ଏହି କମ୍ପାନୀକୁ କାମ ଦେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ପ୍ରାୟ ୧୫୦ କୋଟି ଟଙ୍କାର କ୍ଷତି ହେବ। ସେହି ସତ୍ତ୍ୱେ ଅଭିଯୋଗକୁ ଅନଦେଖା କରାଯାଇଥିବା କଂଗ୍ରେସ ଦାବି କରିଛି।
ଟେଣ୍ଡର ପୂର୍ବରୁ ପ୍ରୟୋଜନୀୟ ଯାଞ୍ଚ ହୋଇନଥିବା ସହିତ, ଷଷ୍ଠରୁ ନବମ ଶ୍ରେଣୀ ପାଇଁ ରବୋଟିକ୍ସ ଆଇଟମରେ ଯେପରି ବଦଳ କରାଯାଇଛି, ସେଥିରେ ଷ୍ଟାଣ୍ଡାର୍ଡବିହୀନ କମ୍ପୋନେଣ୍ଟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏହା ଶିକ୍ଷାକ୍ଷେତ୍ର ପାଇଁ ଆବଶ୍ୟକ ନୁହେଁ ବୋଲି କହାଯାଇଛି।
ଏହି ପ୍ରକ୍ରିୟା ଜେନେରାଲ ଫାଇନାନ୍ସ ରୁଲ ୨୦୧୭ ର ଧାରା ୧୭୩କୁ ଉଲ୍ଲଙ୍ଘନ କରୁଥିବା ସହିତ, ଟେଣ୍ଡରରେ ଖୋଲା ପ୍ରତିସ୍ପର୍ଧାକୁ ପ୍ରଭାବିତ କରିଥିବା ଅଭିଯୋଗ ଆସିଛି। ବିଶ୍ୱସ୍ତରରେ ଚାଲୁଥିବା ଶିକ୍ଷା ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଏହି ସଂଶୋଧନରେ ଅନଦେଖା କରାଯାଇଥିବା କହାଯାଇଛି।
RTI କର୍ମୀ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ପ୍ରିୟାପ୍ରୀତି ଓ ମ୍ୟାନିପୁଲେସନ୍ର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ସେଥିସହିତ ପ୍ରେଜେଣ୍ଟେସନ୍ ଷ୍ଟେଜର ଭିଡିଓ ରେକର୍ଡିଂ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା।
ତଥାପି, ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କୁ ତଦନ୍ତ ଭାର ଦେଇଥିବା ସତ୍ତ୍ୱେ, ଏହାର କୌଣସି ପ୍ରତ୍ୟକ୍ଷ ଫଳ ଦେଖାଯାଇନି ଏବଂ ଶେଷରେ ସେହି କମ୍ପାନୀକୁ ଟେଣ୍ଡର ଦିଆଯାଇଛି।
ଏହାକୁ ନେଇ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସୋମବାର ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ ଯଦି ତଦନ୍ତ ନିର୍ଦ୍ଦେଶ ଦିଆଯାଇନଥାଏ, ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରାଯିବ।
ଚର୍ଚ୍ଚା news












