ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା : ବିଳମ୍ବିତ ରାତ୍ର ସମୟରେ ଅଜଣା ଭାରିଯାନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ୨ ନମ୍ବର ୱାର୍ଡ ଦୁର୍ଗାମଣ୍ଡପ ଛକ ନିକଟରେ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ କୁଅଁରପାଳ ଗ୍ରାମର କମଳାକାନ୍ତ ବିଶ୍ୱାଳ (୪୪), ପିତା—ହେମେନ୍ଦ୍ରନାଥ ବିଶ୍ୱାଳ। ସୂଚନା ଅନୁସାରେ, କମଳାକାନ୍ତ ଗତକାଲି ରାତ୍ରିରେ ଉଦଳାରୁ ଦୋକାନ ବନ୍ଦ ହେବା ପରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଭାରିଯାନ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା। ତେବେ, ଘନ କୁହୁଡି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା ଅତ୍ୟନ୍ତ କମ୍ ଥିବା ସୁଯୋଗ ନେଇ ଭାରିଯାନଟି ଦୁର୍ଘଟଣା ଘଟାଇ ପଳାଇ ଯାଇଥିବା ଅଭିଯୋଗ ହେଉଛି। ଧକ୍କା ପରେ କମଳାକାନ୍ତ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ ଘରଲୋକେ ବିଳମ୍ବିତ ରାତ୍ର ସମୟରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ କାର୍ଯ୍ୟରତ ଡାକ୍ତର ପରୀକ୍ଷା ପରେ କମଳାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ପରିବେଶ ଶୋକାକୁଳ ହୋଇ ପଡ଼ିଥିଲା।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଏହି ଘଟଣାକୁ ନେଇ ୪୮୩ ଧାରାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଛେଦ କରାଇ ଅଧିକ ତଦନ୍ତ ଜାରି ରହିଛି। ଅଜଣା ଭାରିଯାନକୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଦୋଷୀ ଚାଳକଙ୍କ ଶୀଘ୍ର ଗିରଫ ସହ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ଜଣାଯାଇଛି।












