ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପ୍ରାଚୀନ ଶକ୍ତିପୀଠ କୁଶଙ୍ଗ ସ୍ଥିତ ମାଁ କୁଶଙ୍ଗାଇ ପୀଠରେ ମହାଷ୍ଟମୀ ରାତ୍ରୀରେ ବଇଲ୍ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମାଁଙ୍କ ପୀଠ ଏବେଠୁ ଚଳଚଞ୍ଚଳ ହୋଇଉଠୁଥିବା ବେଳେ ମାନସିକକାରୀ ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଷୋଡଶ ପୂଜାର ଅନ୍ତିମ ଦିନ ତଥା ମହାଷ୍ଟମୀ ଦିନ ଅପରାହ୍ନରେ ପୂଜକ ଙ୍କ ଘରେ ପୂଜା ପାଉଥିବା ଛତ୍ରବାଉତିକୁ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଏ। ଏହା ବଇଲ୍ ଯାତ୍ରାର ସୂଚନା ଆଣିଦିଏ। ତା’ପରେ ଛତ୍ରବାଉତିକୁ ମାଁ କୁଶଙ୍ଗାଇଙ୍କ ବାମ ପାର୍ଶ୍ୱରେ ସ୍ଥାପନ କରି ମହାଷ୍ଟମୀର ନିଶିପୂଜା ପାଇଁ ପ୍ରସ୍ତୁତି ଚାଲେ। ରାତ୍ରୀରେ ମନ୍ଦିରର ପାର୍ଶ୍ୱଦେବାଦେବୀଙ୍କ ପୂଜା ଓ ଗୁପ୍ତପୂଜା ପରେ ମାଁ ପୂଜକଙ୍କ ଦେହରେ ଆବିର୍ଭାବ ହୋଇଥାନ୍ତି।ମନ୍ଦିର ଗର୍ଭଗୃହ ଝୁଣାଗୁଗୁଲ୍ ର ବାସ୍ନାରେ ମହକିଉଠୁଥିବା ବେଳେ ଢୋଲ୍, ନିସାନ୍, ମହୁରୀ, ଘଣ୍ଟ ଓ ଘଣ୍ଟା ଧ୍ୱନୀରେ ମାଁ କୁଶଙ୍ଗାଇଙ୍କ ଧ୍ୱନୀ ଉପାସନାକାରୀଙ୍କୁ ଭାବବିହ୍ୱଳିତ କରିଦିଏ।ତା’ପରେ ବଇଲଧାରୀ ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ପରିସରସ୍ଥ କୁଶଳେଶ୍ୱର ବାବାଙ୍କ ମନ୍ଦିରକୁ ପ୍ରବେଶ କରିଥାନ୍ତି।ଏହି ସମୟରେ ବାବା କୁଶଳେଶ୍ୱର ମନ୍ଦିରରେ ମାନସିକକାରୀ ମାନେ ଅଧିଆପଡି ମାଁ କୁଶଙ୍ଗାଇଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି।ଏହାପରେ ବଇଲ୍ ଧାରୀଙ୍କ ଦେହରୁ ଶକ୍ତିଶୂନ୍ୟ ହୋଇଥାନ୍ତି। ପରେ ମାଁଙ୍କୁ ମହାଆଳତୀ ଅର୍ପଣ ପରେ ଭକ୍ତବୃନ୍ଦ ଅନ୍ନପ୍ରସାଦ ସେବନ କରିଥାନ୍ତି।
ଐତିହାସିକଙ୍କ ମତାନୁସାରେ ପୂର୍ବରୁ ଏହିଦିନ ଦେବୀଙ୍କ ଠାରେ ପଶୁବଳି ଦିଆଯାଉଥିଲା। ତେବେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ହେବ ଏଠାରେ ପଶୁବଳି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏବେ କେବଳ ପାଣି କଖାରୁ ବଳି ଦିଆଯାଉଛି। ସେହିପରି ଏହି ବଇଲ୍ ଯାତ୍ରା ମହାଷ୍ଟମୀ ବ୍ୟତୀତ କୁମାର ପୂର୍ଣ୍ଣମୀ ଓ ଚୈତ୍ର ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଥାଏ।
ଆଜି ମାଁ କୁଶଙ୍ଗାଇଙ୍କ ପୀଠରେ ବଇଲ୍_ଯାତ୍ରା
By Charcha News











