ଉଦଳା (ରାଜୀବ କୁମାର ବେହେରା):
ମୟୁରଭଞ୍ଜ ଜିଲ୍ଲା ଉଦଳା ଉଠାଜଳସେଚନ ବିଭାଗରେ ଲାଞ୍ଚ କାରବାରକୁ ନେଇ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏକ ସଫଳ ଟ୍ରାପ୍ କାର୍ଯ୍ୟାନୁଷ୍ଠାନ କରିଛି। ଏହି ଅଭିଯାନରେ ବିଭାଗର ଦୁଇଜଣ ସରକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି।
ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଯନ୍ତ୍ରୀମାନେ ହେଲେ ସବ୍-ଡିଭିଜନାଲ ଅଫିସର (SDO) ହରେକୃଷ୍ଣ ସିଂ ଓ ଜୁନିଅର ଇଞ୍ଜିନିଅର (JE) ସୁବ୍ରତ ମହାନ୍ତି।
ସୂଚନା ଅନୁସାରେ, ଜଣେ ଠିକାଦାର ଦ୍ୱାରା ସଫଳତାର ସହିତ ସମ୍ପନ୍ନ ହୋଇଥିବା ୪୨ ଲକ୍ଷ ଟଙ୍କାର ଉଠାଜଳସେଚନ ପ୍ରକଳ୍ପର ବକେୟା ବିଲ ଓ ସୁରକ୍ଷା ଜମା ରାଶି ଛାଡ଼ିବା ପାଇଁ ଏହି ଦୁଇ ଯନ୍ତ୍ରୀ ଠିକାଦାରଙ୍କୁ ଲାଞ୍ଚ ଦାବି କରୁଥିବା ଅଭିଯୋଗ ଥିଲା। ଦାବି ରାଶି ପ୍ରକଳ୍ପ ମୂଲ୍ୟର ୪.୫ ପ୍ରତିଶତ ବୋଲି ଜଣାପଡ଼ିଛି।
ଲମ୍ବା ସମୟ ଧରି ହଇରାଣ ହରକତ ର ସମ୍ମୁଖୀନ ହେବା ପରେ ଠିକାଦାର ଜଣକ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଶରଣାପନ୍ନ ହୋଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ଦେଇ ଭିଜିଲାନ୍ସ ବିଭାଗ ଏକ ଗୋପନୀୟ ଟ୍ରାପ୍ ଯୋଜନା ଗଢ଼ି ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟଙ୍କୁ ହାତେନାଲାରେ ଧରିଥିଲା।
ଗିରଫ ପରେ ତଦନ୍ତକୁ ଆଗେ ବଢ଼ାଇ SDO ହରେକୃଷ୍ଣ ସିଂଙ୍କ ୨ଟି ସ୍ଥାନ ଓ JE ସୁବ୍ରତ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ସନ୍ଧାନରେ ସମୟସାପେକ୍ଷ ଚଢ଼ାଉ ଚାଲିଛି।
ଏହି ଘଟଣା ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୧/୨୦୨୬ ରୁଜୁ କରାଯାଇଛି। ଦୁହିଁ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିରୋଧକ ଆଇନ (PC Act) ଧାରା ୭, ୧୩(୧) ଓ ୧୩(୨) ଅନୁଯାୟୀ ମାମଲା ଚାଲିଛି। ତଦନ୍ତ ଜାରି ରହିଛି।
ଉଦଳା ଉଠାଜଳସେଚନ ବିଭାଗରେ ଭିଜିଲାନ୍ସ ଟ୍ରାପ୍, ଦୁଇ ଯନ୍ତ୍ରୀ ଲାଞ୍ଚ ମାମଲାରେ ଗିରଫ
By Charcha News












