କଟକ : କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଥିବା ଜଣେ ଅଭିଯୁକ୍ତଙ୍କୁ ଆରପିଏଫ ପକ୍ଷରୁ ଗିରଫ କରାଯାଇଥିବା ସହ ତାଙ୍କ ପାଖରୁ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟର ୪ଟି ଚୋରା ମୋବାଇଲ ଫୋନ ଜବତ କରାଯାଇଛି। ମିଳିଥିବା ସୂଚନାନୁସାରେ, ୧୩ ଏପ୍ରିଲ ୨୦୨୬ ତାରିଖ ପ୍ରାୟ ସକାଳ ୧୧ଟା ୪୫ ମିନିଟ ସମୟରେ କଟକ ଆରପିଏଫ ପୋଷ୍ଟର ଅଧିକାରୀ ଓ କର୍ମଚାରୀମାନେ କଟକ ରେଳ ଷ୍ଟେସନରେ ବିଶେଷ ଯାଞ୍ଚ ଅଭିଯାନ ଚାଲାଉଥିବା ବେଳେ ପ୍ଲାଟଫର୍ମ ନମ୍ବର–୪ ରେ ଚାଲୁଥିବା ପାଟନା–ପୁରୀ ସ୍ପେଶାଲ ଏକ୍ସପ୍ରେସ (ଟ୍ରେନ ନଂ–୦୮୪୪୦) ର ପଛ ପକ୍ଷ ଜେନେରାଲ କୋଚରୁ ଜଣେ ସନ୍ଦେହଜନକ ବ୍ୟକ୍ତି ତଳେ ନାମି ତ୍ୱରାନ୍ୱିତ ଭାବେ ଭଦ୍ରକ ଦିଗକୁ ଯାଉଥିବା ଦେଖାଯାଇଥିଲେ। ତାଙ୍କ ଚଳଚଳନ ଦେଖି ସନ୍ଦେହ ହେବାରୁ ଆରପିଏଫ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ପ୍ଲାଟଫର୍ମର ଭଦ୍ରକ ପ୍ରାନ୍ତରେ ଅଟକ କରିଥିଲେ। ପରେ ପଚରାଉଥିବା ବେଳେ ସେ ନିଜ ପରିଚୟ କୌଶର ସେଖ (୨୪), ପିତା ଫୋଟିକ ସେଖ, ଗ୍ରାମ ମହେନ୍ଦ୍ରପୁର କାଳିତୋଳା, ଥାନା ସୁତି, ଜିଲ୍ଲା ମୁର୍ଶିଦାବାଦ, ପଶ୍ଚିମବଙ୍ଗ ଭାବେ ଦେଇଥିଲେ। ସେ ଖଡଗପୁରରୁ କଟକ ଯାଉଥିବା କଥା କହିଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ବୈଧ ଟିକେଟ କିମ୍ବା ଯାତ୍ରା ସମ୍ବନ୍ଧୀୟ ଦଳିଲ ମିଳିନଥିଲା। ତାଙ୍କ ବ୍ୟକ୍ତିଗତ ତଲାଶି ସମୟରେ ମୋଟ ୪ଟି ମୋବାଇଲ ଫୋନ ଜବତ ହୋଇଥିଲା, ଯାହାରେ ଗୋଟିଏ ନୀଳ ରଙ୍ଗର ଓପୋ F31 ପ୍ରୋ+ (ଲକ୍ ଅବସ୍ଥାରେ), ଗୋଟିଏ ସବୁଜ ରଙ୍ଗର ଭିଭୋ Y31 5G (ଲକ୍ ଅବସ୍ଥାରେ), ଗୋଟିଏ ସବୁଜ ରଙ୍ଗର ରିଆଲମି 13 5G ଓ ଗୋଟିଏ କଳା ରଙ୍ଗର LYF କିପ୍ୟାଡ୍ ମୋବାଇଲ ଥିଲା। ଏହି ସମସ୍ତ ମୋବାଇଲ ଫୋନ ସମ୍ବନ୍ଧରେ ସେ କୌଣସି ମାଲିକାନା ପ୍ରମାଣ ପ୍ରଦର୍ଶନ କରିପାରିନଥିଲେ ଏବଂ ଦୀର୍ଘ ପଚରାଉଥିବା ପରେ ସେ ଚାଲୁଥିବା ଟ୍ରେନରୁ ଯାତ୍ରୀମାନଙ୍କ ମୋବାଇଲ ଚୋରି କରୁଥିବା ଏବଂ ନିଜ ମାଦକାସକ୍ତି ପୂରଣ ପାଇଁ ଏହା କରୁଥିବା କଥା ସ୍ୱୀକାର କରିଥିଲେ। ପରେ ତାଙ୍କ ପାଖରୁ ଜବତ ସମସ୍ତ ମୋବାଇଲ ଫୋନକୁ ଆରପିଏଫ ପକ୍ଷରୁ ଜବତ କରାଯାଇଥିବା ସହ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ICJS ମାଧ୍ୟମରେ ଯାଞ୍ଚ କରାଯାଇଥିଲା, ଯେଉଁଠାରେ କୌଣସି ପୂର୍ବ ରେକର୍ଡ ମିଳିନଥିଲା। ଶେଷରେ ଅଭିଯୁକ୍ତଙ୍କୁ ଜବତ ସାମଗ୍ରୀ ସହ କଟକ GRPS କୁ ହସ୍ତାନ୍ତର କରାଯାଇଥିବା ବେଳେ ସେଠାରେ BNS ଧାରା ୩୦୫(ସି) ଅନୁସାରେ କେସ୍ ନମ୍ବର ୮୬/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ଚର୍ଚ୍ଚା news












