ଉଦଳା, (ରାଜୀବ କୁମାର ବେହେରା):
ଆସନ୍ତା ୯୧ତମ ଓଡ଼ିଶା ଦିବସ–୨୦୨୬ ପାଳନକୁ ଆଗରେ ରଖି କପ୍ତିପଦା ଉପଖଣ୍ଡରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଉଦଳାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବିସ୍ତୃତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ, ପାଳନ ପାଇଁ ଚୂଡ଼ାନ୍ତ ରୂପରେଖା ନିର୍ଦ୍ଧାରଣ କରାଯାଇଛି।
ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇ ଆୟୋଜନକୁ ଭବ୍ୟ ଓ ସୁସଂଘଟିତ କରିବାକୁ ଆଲୋଚନା କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଓଡ଼ିଶା ଦିବସ ଦିନ ସକାଳୁ ସହରରେ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରାଯିବ। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଓ ଶୋଭାଯାତ୍ରା ଆୟୋଜନ ହେବ, ଯାହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସମାପ୍ତ ହେବ।
ଏହାପରେ ରାଜ୍ୟର ବିଭିନ୍ନ ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଶେଷରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ମୁଖ୍ୟ ସଭା ଆୟୋଜନ ହୋଇ ସଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କରାଯିବ।
ଓଡ଼ିଆ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉଚ୍ଚ ପ୍ରାଥମିକରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ। ବ୍ଲକ ସ୍ତରରେ ପୂର୍ବରୁ ଚୟନ ହୋଇଥିବା ସର୍ବଶ୍ରେଷ୍ଠ ପ୍ରତିଯୋଗୀମାନେ ଉପଖଣ୍ଡ ସ୍ତରରେ ଅଂଶଗ୍ରହଣ କରିବେ।
କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପାଳନ ପାଇଁ ସହର ସଫା-ସୁଥା, ପ୍ରତିମୂର୍ତ୍ତି ସଜାଣା, ଆଲୋକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବାକୁ ବୈଠକରେ ସ୍ଥିର କରାଯାଇଛି।
ଉଲ୍ଲେଖନୀୟ ଯେ, ଏହି ବୈଠକ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଓ ସମସ୍ତ ବିଭାଗର ସମନ୍ୱୟରେ ଓଡ଼ିଶା ଦିବସକୁ ଭବ୍ୟ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।
କପ୍ତିପଦା ଉପଖଣ୍ଡରେ ବୈଠକ, ସଂସ୍କୃତିକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ : ଉଦଳାରେ ଓଡ଼ିଶା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି
By Charcha News












