ଉଦଳା, (ରାଜୀବ କୁମାର ବେହେରା ):
ଦେଶଭକ୍ତିର ଆଲୋଡ଼ନରେ ଆଜି ଉଦଳା ହାଇସ୍କୁଲ ପ୍ରାଙ୍ଗଣ ମୁଖରିତ ହୋଇଉଠିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଉଦଳା ବ୍ଳକ୍ ପକ୍ଷରୁ ଆୟୋଜିତ “ବନ୍ଦେ ମାତରମ”ର ସାମୂହିକ ଗାନ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି କରିଥିଲା।
ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଉଦଳା ବ୍ଳକ୍ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉଦଳା ବ୍ଳକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ, ଶିଷ୍ଟାଚାର ଓ ନୀତିବୋଧକୁ ଜୀବନର ଆଦର୍ଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ବିଡ଼ିଓ ସମରଜିତ କର, ଏବିଡ଼ିଓ ଶରତ ମହାନ୍ତି, ବିଇଓ ଦୀପକ କୁମାର ମିଶ୍ର ଓ ଏବିଇଓ ମିନତୀ ମଞ୍ଜରୀ ପଣ୍ଡା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସହ ସାମୂହିକ ଭାବେ ବନ୍ଦେ ମାତରମ ଗାନ କରିଥିଲେ।
ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଳା ବ୍ଳକ୍ ବିଏସଏସଓ ଭାଗ୍ୟଶ୍ରୀ ନାୟକ, ଏନଏସି ସିଆରସିସି ଗୌର କିଶୋର ବିନ୍ଧାଣୀ ସହ ଅନ୍ୟାନ୍ୟ କର୍ମଚାରୀମାନେ ସଫଳ କରିଥିଲେ।
ଏହି ସୂଚନା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ତରଫରୁ ପ୍ରକାଶ ପାଇଛି।
ବନ୍ଦେ ମାତରମ ଗାନରେ ମୁଖରିତ ଉଦଳା ହାଇସ୍କୁଲ, ଛାତ୍ରଛାତ୍ରୀଙ୍କୁ ମିଳିଲା ସମ୍ମାନ
By Charcha News












